କିଏ ହାତେଇବ ପୁରୀ ବିଜେଡ଼ି ଟିକେଟ
ପୁରୀ : ଓଡ଼ିଶାରେ ପୁରୀ ବିଧାନସଭା ଆସନଟି ସଦାବେଳେ ଗୁରୁତ୍ୱ ବହନ କରି ଆସୁଛି । ଶଙ୍ଖକ୍ଷେତ୍ରରେ ଅଧିକାଂଶ ସମୟ ଅଣକଂଗ୍ରେସ ବିଧାୟକଙ୍କ ଦଖଲରେ ରହିଥିଲା । ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଏହି ଦୁର୍ଗକୁ ୫ଥର ନିଜ ଦଖଲରେ ରଖିପାରିଥିଲେ । ୨୦୧୯ ନିର୍ବାଚନରେ ବିଜେଡ଼ି ହାତରୁ ଏହି ସିଟ୍ଟିକୁ ବିଜେଡ଼ିରୁ ଯାଇ ବିଜେପି ମିଶିଥିବା ଜୟନ୍ତ ଷଡ଼ଙ୍ଗୀ ଅକ୍ତିଆରକୁ ଯାଇଥିଲା । କଂଗ୍ରେସର ଗଦାଧର ମିଶ୍ରଙ୍କ ପରେ ଆଉ କଂଗ୍ରେସ ଦଖଲକୁ ଯାଇ ପାରିନାହିଁ । ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସରେ ୨ଜଣ ଆଶାୟୀ ପ୍ରାର୍ଥୀଙ୍କ ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ ରହିଥିବା ମୁଖ୍ୟମନ୍ତ୍ରୀ ଅନୁଭବ କରିଥିବା ଆଲୋଚନା ହେଉଛି । ଜଣେ ଯୁବନେତା ବିଭିନ୍ନ ମନ୍ତ୍ରୀଙ୍କ ସହ ରହି ଓ କାମ କରି ଟିକେଟ ପାଇଁ ଆଶାୟର ରହିଥିବା ବେଳେ ସେହି ନେତାଙ୍କୁ ହାଉସିଂବୋର୍ଡ଼ ଚେୟାରମ୍ୟାନ କରିବା ପାଇଁ ବଡ଼ଦାଣ୍ଡରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ମହେଶ୍ୱର ମହାନ୍ତିଙ୍କ ଅସୁସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସୁପୁତ୍ର ସୁନିଲ ମହାନ୍ତି ଏବେ ସବୁ କ୍ଷେତ୍ରରେ ଅଗ୍ରସର ହୋଇ ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଥିବା ଦେଖାଯାଉଛି । ରକ୍ତଦାନ ଶିବିର,କମଳ ବଂଟନ, ରୋଗୀଙ୍କୁ ଫଳ ବଂଟନ ଓ ବନ୍ୟା ସମୟରେ ରନ୍ଧାଖାଦ୍ୟ ବଂଟନ କରିବାରେ ସୁନିଲ ଆଗରେ ରହିଥିବାରୁ ତାଙ୍କୁ ଟିକେଟ ପ୍ରଦାନ କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ପୁରୀ ସଦର ଅଞ୍ଛଳରେ ଆଲୋଚନା ହେଉଛି । ରାଜ୍ୟ ହାଉସିଂବୋର୍ଡ଼ ଚେୟାରମ୍ୟାନ ପଦବି ଟି ପୂର୍ବରୁ ସ୍ୱର୍ଗତ ରାମକୃଷ୍ଣ ମିଶ୍ର (ଗାନ୍ଧି ଭାଇନା) ଓ ପରେ ସଞ୍ଜୟଦାସ ବର୍ମାଙ୍କ ହାତରେ ରହିଥିଲା । ଏବେ ସେଇ ପଦବିଟି ଶୁଭାଶିଷ ଖୁଂଟିଆ ( ଲକି)ଙ୍କୁ ଥଇଥାନ କରି ବିଧାୟକ ସିଟ୍କୁ ସୁନିଲ ହାତେଇବା ପାଇଁ ସୁଯୋଗ ଦିଆଯାଉ ବୋଲି ଭୋଟରମାନଙ୍କ ମଧ୍ୟରେ ଆଲୋଚନା ହେଉଛି ।
