କେଉଁଠି ଓ କେମିତି ସୃଷ୍ଟି ହୋଇଥିଲା କୋରୋନା ଭୂତାଣୁ? ଅଢ଼େଇ ବର୍ଷ ପରେ ଉତ୍ତର ଦେଲା ଡବ୍ଲୁଏଚଓ
ନୂଆଦିଲ୍ଲୀ : ୨୦୧୯ ଶେଷରୁ ବିଶ୍ୱରେ ଆତଙ୍କ ଖେଳାଇଥିବା ମହାମାରୀ କୋରୋନାକୁ ନେଇ ଏବେ ବି ଅନେକ ରହସ୍ୟ ଉପରୁ ପରଦା ହଟିନାହିଁ। ସେଥିମଧ୍ୟରୁ ଭୂତାଣୁ କେଉଁଠି ଓ କେମିତି ସୃଷ୍ଟି ହୋଇଥିଲା ତାହା ସବୁଠାରୁ ବଡ ପ୍ରଶ୍ନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଦ୍ୱାରା ଗଠିତ ବିଶେଷଜ୍ଞ କମିଟି କହିଛି ଯେ, କୋଭିଡ ମହାମାରୀର ଉତ୍ପତ୍ତି ଜାଣିବା ପାଇଁ ଅଧିକ ଅଧ୍ୟୟନର ଆବଶ୍ୟକ ରହିଛି। ଉହାନ ଲାବୋରେଟୋରୀରୁ ଭୁତାଣୁ ଲିକ୍ ହେବାର ସିଦ୍ଧାନ୍ତକୁ ଅଧିକ ବିସ୍ତୃତ ଭାବରେ ଅଧ୍ୟୟନ କରାଯିବା ଆବଶ୍ୟକ ବୋଲି କମିଟି କହିଛି।
କୋରୋନା ଭାଇରସର ଉତ୍ପତ୍ତି ବିଷୟରେ ଡବ୍ଲୁଏଚଓର ପ୍ରାରମ୍ଭିକ ମୂଲ୍ୟାଙ୍କନଠାରୁ ବିଶେଷଜ୍ଞ କମିଟିର ଅନୁମାନ ଭିନ୍ନ। ଗତବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସିଦ୍ଧାନ୍ତ ନେଇଥିଲା ଯେ, କୋଭିଡ ଏକ ଲାବୋରେଟୋରୀରୁ ମଣିଷ ଶରୀରକୁ ବ୍ୟପିବାର ସମ୍ଭାବନା ବହୁତ କମ। କିନ୍ତୁ ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ଡବ୍ଲୁଏଚଓ ବିଶେଷଜ୍ଞ କମିଟି କହିଛନ୍ତି ଯେ, ମହାମାରୀ କିପରି ଉତ୍ପନ୍ନ ହୋଇଛି ତାହା ବ୍ୟାଖ୍ୟା କରିବାର ମୁଖ୍ୟ ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ବର୍ତ୍ତମାନର ସମସ୍ତ ବୈଜ୍ଞାନିକ ପ୍ରମାଣକୁ ସୁରକ୍ଷିତ ରଖି ଆଗାମୀ ଦିନରେ ଏହା ଉପରେ ଅଧିକ ଅନୁସନ୍ଧାନ ବା ଗବେଷଣା କରାଯିବାର ଆବଶ୍ୟକତା ରହିଛି।
ବିଶେଷଜ୍ଞ କମିଟି କହିଛି ଯେ, ଅତୀତରେ ଲାବୋରେଟୋରୀରୁ ଅନେକ ରୋଗ ମଣିଷ ଦେହରେ ବ୍ୟାପିବାର ପ୍ରମାଣ ରହିଛି, ତେଣୁ ଉହାନ ଲ୍ୟବରୁ ଭାଇରସ ଲିକ୍ ସିଦ୍ଧାନ୍ତକୁ ଅଣଦେଖା କରାଯାଇପାରିବ ନାହିଁ। କୋଭିଡ ଭୂତାଣୁର ପ୍ରଥମ ଭ୍ୟାରିଆଣ୍ଟ ପ୍ରଥମେ ଚୀନର ଉହାନ ସହରରେ ୨୦୧୯ରେ ଦେଖା ଦେଇଥିଲା। ଚୀନ୍ ପ୍ରଥମେ ଏହି ତଥ୍ୟକୁ ଲୁଚାଇ ରଖିଥିଲା, କିନ୍ତୁ ପରେ ଏହି ଭୂତାଣୁ ଅନ୍ୟ ଦେଶକୁ ବ୍ୟାପିଗଲା ଏବଂ ଶୀଘ୍ର ମହାମାରୀରେ ପରିଣତ ହେଲା। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ରଥମ ରୋଗୀ ଚୀନର ଉହାନର ହୁଆନାନ ସି ଫୁଡ୍ ମାର୍କେଟରେ କାମ କରୁଥିଲେ।
ଅନ୍ୟ ଏକ ଅଧ୍ୟୟନ ଅନୁଯାୟୀ, ଆରିଜୋନା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନର ମୁଖ୍ୟ ୱୋରୋବି କହିଛନ୍ତି ଯେ, କୋଭିଡ ରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ଆକାଉଣ୍ଟାଣ୍ଟ କହିଛନ୍ତି ଯେ ତାଙ୍କର ପ୍ରଥମ ଲକ୍ଷଣ ଡିସେମ୍ବର ୧୬ରେ ମିଳିଥିଲା। ଅବଶ୍ୟ ପରେ ୧୧ ଡିସେମ୍ବର ୨୦୧୯ରେ ଜଣେ ମହିଳା ଏହାର ପ୍ରଥମ ରୋଗୀ ବୋଲି କୁହାଯାଉଥିଲା ଯିଏ ସି ଫୁଡ ମାର୍କେଟରୁ କିଛି ଜିନିଷ କିଣିଥିଲେ। ଡବ୍ଲୁଏଚଓର ବିଶେଷଜ୍ଞ କମିଟି ମଧ୍ୟ ସୂଚାଇ ଦେଇଛି ଯେ, ପ୍ରଥମେ ସେହି ଦାବି କରାଯାଉଥିବା ମହିଳା କୋରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଉପରେ କୌଣସି କୋଠର ପ୍ରମାଣ ନାହିଁ।
