କେରଳରେ ପଶ୍ଚିମବଙ୍ଗ ସ୍ଥିତି! ଆରଏସଏସ ପ୍ରମୁଖଙ୍କୁ ଭେଟିଲେ ରାଜ୍ୟପାଳ
ନୂଆଦିଲ୍ଲୀ: କେରଳ ଏବେ ଦ୍ଵିତୀୟ ପଶ୍ଚିମବଙ୍ଗ । ସେଠାରେ ସୃଷ୍ଟି ହୋଇଛି ପଶ୍ଚିମବଙ୍ଗ ଭଳି ପରିସ୍ଥିତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦିଦି ଓ ତତ୍କାଳୀନ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିଲା। ଠିକ ସେହିପରି ବର୍ତ୍ତମାନ କେରଳର ପିନାରାୟି ବିଜୟାନ ସରକାର ଓ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ଅସହଯୋଗିତା ଦେଖିବାକୁ ମିଳିଛି। ଆଉ ରାଜ୍ୟପାଳ ଯାହାର ସମାଧାନ ଚାହୁଁଛନ୍ତି। ଏଥିପାଇଁ ସେ ଶନିବାର ରାତିରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ପ୍ରମୂଖ ମୋହନ ଭାଗବତଙ୍କୁ ସାକ୍ଷାତ କରିଛନ୍ତି।
କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ପିନାରାୟି ବିଜୟାନଙ୍କ ବାମପନ୍ଥୀ ସରକାର ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ବିଶ୍ୱବିଦ୍ୟାଳୟ କୂଳପତି ନିଯୁକ୍ତିକୁ ନେଇ ରାଜ୍ୟପାଳ ଓ ରାଜ୍ୟ ସରକାର ମଧ୍ୟରେ ବିବାଦ ଚାଲିଛି। ଶନିବାର ରାତିରେ କେରଳ ରାଜ୍ୟପାଳ, ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟ କହିଛି ଯେ, ରାଜ୍ୟପାଳ ଖାନ ରାତି ପ୍ରାୟ ୮ଟାରେ ତାଙ୍କ ବାସଭବନରେ ମୋହନ ଭାଗବତଙ୍କ ସହ ଏକ ବୈଠକ କରିଥିଲେ। ତେବେ ରାଜ୍ୟପାଳ ଏ ବିଷୟରେ ଗଣମାଧ୍ୟମ ସହିତ ଆଲୋଚନା କରିବାକୁ ମନା କରିଦେଇଥିଲେ।
ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆରଏସଏସ ମୁଖ୍ୟଙ୍କ ସହ ରାଜ୍ୟପାଳ ଏକ ବୈଠକ କରିଥିଲେ। ଏହା ଏକ ସୈଜନ୍ୟମୂଳକ ସାକ୍ଷାତ ଥିଲା। ଏହି ବୈଠକ ପୂର୍ବରୁ ଯୋଜନା କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବା ବେଳେ ବୈଠକ ହୋଇଛି। ଯେଉଁଥିପାଇଁ କେରଳ ରାଜ୍ୟପାଳ ଓ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ) ମୁଖ୍ୟଙ୍କ ବୈଠକକୁ ନେଇ ଅନେକ ପ୍ରଶ୍ନ ଉଠୁଛି। କୁହାଯାଉଛି ଯେ, ଭାଗବତଙ୍କ ଇସାରାରେ କେନ୍ଦ୍ର ସରକାର ପରିଚାଳିତ ହେଉଛି। ତେଣୁ ନିଜର ସ୍ଥାନାନ୍ତର ପାଇଁ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ଆରଏସଏସ ମୁଖ୍ୟଙ୍କୁ ଅପିଲ କରିଥାଇପାରନ୍ତି।
ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟରେ କୂଳପତି ନିଯୁକ୍ତିକୁ ନେଇ କେରଳରେ ବିବାଦ ଆରମ୍ଭ ହୋଇଛି। ରାଜ୍ୟପାଳ ମହମ୍ମଦ ଆରିଫ ଖାନ, ବିଶ୍ୱବିଦ୍ୟାଳୟରେ ନିଯୁକ୍ତିରେ ଆତ୍ମୀୟତା ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ କୁନୁର ବିଶ୍ୱବିଦ୍ୟାଳୟରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା, କିନ୍ତୁ ପୋଲିସ ମାମଲା ରୁଜୁ କରିନଥିଲା। ପୋଲିସ ମାମଲା ରୁଜୁ କରିବାରେ କିଏ ଅଟକାଇଲା ଏବଂ ଗୃହ ବିଭାଗରେ କିଏ ଅଛନ୍ତି? ବୋଲି ରାଜ୍ୟପାଳ ପ୍ରଶ୍ନ କରିବା ସହ ରାଜ୍ୟପାଳ କାର୍ଯ୍ୟାଳୟକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ସେପଟେ ରାଜ୍ୟପାଳଙ୍କ ସମସ୍ତ ଅଭିଯୋଗକୁ ପିନାରାୟି ସରକାର ଖଣ୍ଡନ କରିଛି।
