ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନୀ ହିଂସାକୁ ନେଇ ମମତା ସରକାରକୁ ଝଟକା ଦେଲେ ପଶ୍ଚିମବଙ୍ଗ ହାଇକୋର୍ଟ
କୋଲକାତା : ମମତା ସରକାରକୁ ପୁଣି ଏକ ଝଟକା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନୀ ହିଂସାକୁ ନେଇ ଝଟକା ଦେଲେ ପଶ୍ଚିମବଙ୍ଗ ହାଇକୋର୍ଟ। ଡାଇମଣ୍ଡ ହାରବୋର୍ଡରେ ଥିବା ଭୂମିହୀନ ପରିବାରକୁ ପର୍ଯ୍ୟାପ୍ତ ସୁରକ୍ଷା ସହିତ ତୁରନ୍ତ ଘରକୁ ଫେରାଇ ଆଣିବା ପାଇଁ କୋର୍ଟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୪୫ ଦିନ ମଧ୍ୟରେ କୋର୍ଟରେ ପୁଲିସକୁ ଏ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବାକୁ ହାଇକୋର୍ଟ କହିଛନ୍ତି।
ନିର୍ବାଚନ ପରେ ବିଜେପି କ୍ରମାଗତ ଭାବରେ ହିଂସା ଅଭିଯୋଗ କରୁଥିବାବେଳେ ମୁଖ୍ୟମନ୍ତ୍ରା ମମତା ବାନାର୍ଜୀ କିନ୍ତୁ ହିଂସା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରୁଛନ୍ତି। ଏମିତିକି ବିଜେପି ଏଭଳି ସୁନିୟୋଜିତ ଅଭିଯୋଗ ଆଣି ରାଜ୍ୟବାସୀଙ୍କଠାରୁ ସହାନୁଭୂତି ପାଇବାକୁ ଚେଷ୍ଟା କରୁଛି ବୋଲି ସେ କହିଥିଲେ। ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ଡାଇମଣ୍ଡ ହାର୍ବରରେ ନିର୍ବାଚନୀ ହିଂସା ଅଭିଯୋଗ ହୋଇଥିଲା। ଅନେକ ପରିବାର ବେଘର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ମୁଖ୍ୟତଃ ବିଜେପି ସମର୍ଥକଙ୍କ ପରିବାର ହିଂସାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ବୋଲି ଦଳ ଦାବି କରିଥିଲା। ଏହାପରେ କୋର୍ଟର ଆଶ୍ରୟ ନେଇଥିଲେ। ପରେ ଟିଏମସି ବିଧାୟକ ଗୟାସୁଦ୍ଧିନ୍ ମୁଲ୍ଲା ଅଭିଯୋଗକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ଆସିଥିଲା।ଏପ୍ରିଲ ୬ରେ କିନ୍ତୁ ଗୟାସୁଦ୍ଧିନ ଅଭିଯୋଗକାରୀଙ୍କ ବିରୋଧରେ ଥାନାରେ କାଉଣ୍ଟର ଅଭିଯୋଗ କରିଥିଲେ। ଏହିସବୁ ଲୋକଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି ସେ କହିଥିଲେ। ଗୟାସୁଦ୍ଦିନ ମୁଲ୍ଲା ଅଭିଯୋଗ କରିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିମାନେ ଘରେ ସଶସ୍ତ୍ର ଥିଲେ। ସେଥିପାଇଁ ସେମାନଙ୍କୁ ଘରକୁ ପଠାଯାଉନାହିଁ। ମାମଲାର ଶୁଣାଣି ବେଳେ ବିଚାରପତି ରାଜା ଶେଖର ମନ୍ତ୍ରା ବୁଧବାର ଡାଇମଣ୍ଡ ହାର୍ବର ଜିଲ୍ଲା ପୁଲିସକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବାକୁ ଏବଂ ପରିବାର ଲୋକଙ୍କୁ ଘରକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ ଏହି ହିଂସା ମାମଲାର ତଦନ୍ତ ପାଇଁ ହାଇକୋର୍ଟ ଏକ ମାନବାଧିକାର ଟିମକୁ ତଦନ୍ତ କରିବାକୁ କହିଥିଲେ। ଏହି ରିପୋର୍ଟ ଆଧାରରେ କୋର୍ଟରେ ଶୁଣାଣି ହେଉଛି।
