ଜନକଲ୍ୟାଣ ବନାମ ମାଗଣା ସହାୟତା ଆଲୋଚନା ଚକ୍ର
କଟକ : ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ୩୫୯ତମ ପାଠଚକ୍ର ପ୍ରଜାତନ୍ତ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । “ଜନକଲ୍ୟାଣ ବନାମ ମାଗଣା ସହାୟତା” ଶୀର୍ଷକ ଆଲୋଚନାଚକ୍ର ପ୍ରାରମ୍ଭରେ ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟ ହାତେଇବା ଲକ୍ଷ୍ୟରେ ବହୁ ଲୋଭନୀୟ ଘୋଷଣା ଦିଆଯାଉଛି ଯାହା ବାସ୍ତବରେ ସଚେତନ ନାଗରିକଙ୍କ ପାଖରେ ଆହ୍ୱାନ । ରାଷ୍ଟ୍ର ମଙ୍ଗଳ ପାଇଁ ଜନମଙ୍ଗଳ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିକୁ ନିଜ ଅଧିକାର ଉପରେ ବିଶ୍ୱାସ ରଖିବା ଉଚିତ୍ ନଚେତ୍ ଗଣତନ୍ତ୍ର ଉପରେ ଏହାର କୁପ୍ରଭାବ ପଡ଼ିବ । ପ୍ରଜାଙ୍କ ଉନ୍ନତି ସାଧିତ ହେବା ପାଇଁ ସାମାଜିକ ଓ ଅର୍ଥନୈତିକ ଦିଗ ସମ୍ବିଧାନରେ ସ୍ଥାନିତ ହୋଇଛି । ଏହା ପାଳନ କରାଯିବା ଆବଶ୍ୟକ ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ବକ୍ତାଭାବେ ଶିକ୍ଷାବିତ୍ ଡ଼କ୍ଟର ଯୋଗଶଙ୍କର ମହାପ୍ରଶସ୍ତ, ସମତା ମଞ୍ଚ ସଭାପତି ଚିତ୍ତ ମହାନ୍ତି, ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ସମ୍ମାନୀତ ବକ୍ତା ଭାବେ ଯୋଗ ଦେଇଥିଲେ । ସଂଯୋଜକ ଡ଼ାକ୍ତର ରବି ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
