କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରକୁ ସ୍ୱାଗତ ମୁଖ୍ୟ ଚିକିତ୍ସାଳୟର ଉନ୍ନତି ନିମନ୍ତେ ସମସ୍ତେ ସହ ଯୋଗ କରନ୍ତୁ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଞ୍ଚଳର ଏକନମ୍ବର ୱାର୍ଡ ନିକଟସ୍ଥ ଶ୍ୟାମଗୁଡିଆରେ ଶହ ଶହ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଅତ୍ୟାଧୁନିକ ଗୃହକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ରୋଗୀ ସେବା କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ବହୁ ସହାୟକ ହେବ । ସହର ମଧ୍ୟରେ ଦିନକୁ ଦିନ ଭିଡ ବଢୁଥିବା ବେଳେ ଆଗକୁ ଆହୁରି ସମସ୍ୟା ସୃଷ୍ଟି କରିବ । ପୁରୁଣା ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସ୍ଥାନାଭାବ ଭଳି ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଶ୍ୟାମଗୁଡିଆରେ ନବ ନିର୍ମିତ ଅତ୍ୟାଧୁନିକ ଡାକ୍ତରଖାନାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘ ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ, ଉପସଭାପତି ଦୁର୍ଯ୍ୟୋଧନ ସେଠୀ, କୋଷାଧ୍ୟକ୍ଷ ଗୈାରାଙ୍ଗ ଚରଣ ସାହୁ, ଯୁଗ୍ମ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା, ବରିଷ୍ଠ ସଦସ୍ୟ ଅତୁଲ ଚନ୍ଦ୍ର ଗିରି, ରାମଚନ୍ଦ୍ର ସେଠୀ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ୟାମଗୁଡିଆରେ ନବନିର୍ମିତ ଅତ୍ୟାଧୁନିକ ସୁବିଧା ଥିବା ନୂତନ ଗୃହକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ହୋଇ ଥିବାରୁ ଜିଲ୍ଲାବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନରେ ବିଶେଷ ଭାବେ ସହାୟକ ହେବ । ଯୋଗାଯୋଗ ଦୃଷ୍ଟିରୁ ନୂତନ ଡାକ୍ତରଖାନା ଗୃହ କେନ୍ଦ୍ରାପଡା ସହର, ପାଟକୁରା, ମହାକାଳପଡା ନିର୍ବାଚନ ମଣ୍ଡଳୀ ତଥା ଜମ୍ବୁ, ମାର୍ଶାଘାଇ, ରାଜଗଡ, ବାବର, ଅଙ୍ଗୁଳେଇ, କଳପଡା, ବଗଡା, କଂସାର, ଓସ୍ତପୁର, ପଟ୍ଟାମୁଣ୍ଡାଇ ପ୍ରଭୃତି ସମସ୍ତ ଅଞ୍ଚଳରୁ ବହୁତ ସୁବିଧା ଓ ସହଜ ଅଟେ । ୫ନମ୍ବର(କ) ଜାତୀୟ ରାଜପଥ ଚଣ୍ଡିଖୋଲ- ପାରାଦୀପ ତଥା ରାଜ୍ୟ ରାଜପଥର ଅତ୍ୟନ୍ତ ନିକଟବର୍ତ୍ତୀ ଅଟେ । ନୂତନ ମୁଖ୍ୟ ଚିକିତ୍ସାଳୟ କିଭଳି ଅସାମାଜିକ ବ୍ୟକ୍ତି ଦୈାରାତ୍ମ୍ୟ ମୁକ୍ତ ତଥା ମେଡିକାଲ ଦଲାଲିରାଜ ମୁକ୍ତ ହେବ ସେଥି ନିମନ୍ତେ ଉପଯୁକ୍ତ ସଂଖ୍ୟାରେ ସୁରକ୍ଷା କର୍ମୀ ଯୋଗାଇଦେବା ଜରୁରୀ ଅଟେ । ନୂତନ ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ସମସ୍ତ ବିଭାଗର ବିଶେଷଜ୍ଞ ଡାକ୍ତର, ନର୍ସ ତଥା ଆବଶ୍ୟକୀୟ ସ୍ୱାସ୍ଥ୍ୟ କର୍ମଚାରୀ, ଉପଯୁକ୍ତ ପରିମାଣର ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ଉନ୍ନତମାନର ସ୍ୱାସ୍ଥ୍ୟସେବା ଜିଲ୍ଲାବାସୀଙ୍କୁ ଯୋଗାଇବାରେ ଭିତ୍ତିଭୂମୀ ଉନ୍ନତିରେ ସାହାଯ୍ୟ କରିବା ନିମିତ୍ତ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ, ଜନସାଧାରଣ, ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ସହଯୋଗ କରିବା ନିମନ୍ତେ ନିବେଦନ କରି ଭବିଷ୍ୟତରେ ଏହାକୁ ଏକ ମେଡିକାଲ କଲେଜ ସ୍ଥାପନ କରିବାରେ ସହାୟକ ହୁଅନ୍ତୁ । ମୁଖ୍ୟ ଡାକ୍ତରଖାନା ପୁରୁଣା କୋଠାରେ ସିଟି ହସପିଟାଲ କରାଯାଇ ସହରବାସୀଙ୍କୁ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଗୁରୁତ୍ତର ରୋଗୀଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବାର ବନ୍ଦୋବସ୍ତ କରିବାକୁ ସମ୍ପାଦକ ଶ୍ରୀ ମେକାପ ନିବେଦନ କରିଛନ୍ତି ।
