ବାଲେଶ୍ୱର : ସରିଲା ସପ୍ତାହାନ୍ତ ସଟ୍ଡାଉନ୍
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଥମୁନି କରୋନା ସଂକ୍ରମଣ । ଲକଡାଉନ ଓ ସଟଡାଉନ ସତ୍ତ୍ୱେ କିଛି ଅମାନିଆଙ୍କ ମନାମାନୀ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଅପରପକ୍ଷେ ଚଳିତ ଜୁନ ମାସ ଦ୍ୱିତୀୟ ସପ୍ତାହରେ ୫ ଦିନ ତାଲାବନ୍ଦ ପର ଦୁଇଦିନିଆ ସପ୍ତାହାନ୍ତ ସଟଡାଉନ ରବିବାର ଶେଷ ହୋଇଛି । ଏହି ବନ୍ଦ ଜିଲାର ବାଲେଶ୍ୱର, ନୀଳଗିରି, ସୋର ଓ ଜଳେଶ୍ୱର ପ୍ରଭୃତି ୪ ସହରାଞ୍ଚଳ ସମେତ ତତସଂଲଗ୍ନ ଗ୍ରାମାଞ୍ଚଳରେ ବି ବଳବତ୍ତର ରହିଛି । ବାଲେଶ୍ୱର ସହର ଉପକଣ୍ଠ ଫୁଲାଡ଼ି, ନଗ୍ରମ, ସାରଗାଁ ପଞ୍ଚାୟତ, ପାତ୍ରପଡ଼ା ଓ ଗବଗାଁ, ରେମୁଣା ବଜାର ଓ ଗୋଲେଇ ଅଞ୍ଚଳ ସମେତ ଗନିପୁର, ଶ୍ରୀକୃଷ୍ଣପୁର, କୁରୁଡା, ବାଲିଆ, ସରସ୍ୱତୀପୁର, ଭୀମପୁରା, ଗଣେଶ୍ୱରପୁର, କରଞ୍ଜିଆ, ହରିପୁର ପ୍ରଭୃତି ପଞ୍ଚପାୟତରେ ମଧ୍ୟ ଏହି କଟକଣା ଲାଗୁ ହୋଇଛି । ତେବେ ପ୍ରଥମ ଲହର କରୋନା କାଳର ସପ୍ତାହାନ୍ତ ବନ୍ଦ ଭଳି ଦ୍ୱିତୀୟ ଲହରରେ ଏହା କ୍ରମଶଃ ପ୍ରଭାବହୀନ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଇଛି ।
ପ୍ରଥମେ ପ୍ରଥମେ ଏହି କଟକଣାକୁ ଜନସାଧାରଣ ଯେଭଳି ଗୁରୁତ୍ୱ ଦେଉଥିଲେ ତାହା ଏବେ ଦେଖିବାକୁ ମିଳୁନି । ସେହିଭଳି ଆଗରୁ ବାଲେଶ୍ୱରରେ ଶତପ୍ରତିଶତ ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦ ପାଳନ ଉପରେ ପୁଲିସ ଗୁରୁତ୍ୱ ଦେଉଥିଲେ । ସେନେଇ ଉଚିତ ପଦକ୍ଷେପ ମଧ୍ୟ ନେଉଥିଲେ । ସମ୍ପ୍ରତି ପୁଲିସ ସହରର ଛକମାନଙ୍କରେ ଡ୍ୟୁଟି କରୁଛି ମାତ୍ର ଅମାନିଆଙ୍କ ପ୍ରତି ଆକଟ ନାହିଁ । ଦୈନନ୍ଦିନ ଜୀବନଚର୍ଯ୍ୟା ଭଳି ଲୋକେ ନିଶଙ୍କୋଚରେ ସହର ରାସ୍ତାରେ ଯାନବାହ ଚଳାଇ ବୁଲାବୁଲି କରୁଥିବା ବେଳେ ଗଳିକନ୍ଦି ରାସ୍ତାରେ ଦୋକାନୀ ବି ଛକଛାକରେ ଜିନିଷପତ୍ର ବିକ୍ରି କରୁଥିବା ପରିଲକ୍ଷିତ ହେଉଛି । ଜିଲା ପୁଲିସ କିମ୍ବା ପ୍ରଶାସନ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନଥିବା କୁହାଯାଉଛି । ଫଳରେ ବାଲେଶ୍ୱର ସହର ରାସ୍ତାରେ ଲୋକେ ନିଦ୍ୱର୍ନ୍ଦ୍ୱରେ ଯାତାୟତ କରୁଛନ୍ତି । ଅନ୍ୟପକ୍ଷରେ ସହର ତଳି ଅଞ୍ଚଳ ତଥା ପଞ୍ଚାୟତଗୁଡ଼ିକରେ ସପ୍ତାହାନ୍ତ ବନ୍ଦର ଚିହ୍ନବର୍ଣ୍ଣ ନଥିବା ଭଳି ଦେଖାଯାଇଛି । ମୋଟ ଉପରେ ତାଲାବନ୍ଦ ଭଳି ବାଲେଶ୍ୱରରେ ସପ୍ତାହାନ୍ତ ବନ୍ଦରେ ବି ସାହାଣ ମେଲା ସ୍ଥିତି ଲକ୍ଷ୍ୟ କରାଯାଇଛି । ଆସନ୍ତା ୧୭ ତାରିଖରେ ତାଲାବନ୍ଦ ଅବଧି ଶେଷ ହେଉଥିବା ବେଳେ ସବୁଜ ଓ ହଳଦିଆ ବଳୟରେ ଥିବା ଜିଲାଗୁଡ଼ିକୁ ସରକାର ତାଲାମୁକ୍ତ ଅଞ୍ଚଳ ଘୋଷଣା କରାଯିବା ନେଇ ସରକାରୀ ସୂଚନା ମିଳିଛି । ଏବେ ଲାଲ ବଳୟରେ ଥିବା ବାଲେଶ୍ୱର ଜିଲାର ସ୍ଥିତି କ’ଣ ରହିବ, ସଂକ୍ରମଣ ହାର ହ୍ରାସ ପାଇବ କି ନାହିଁ, ଏହା ଏବେ ବିରାଟ ପ୍ରଶ୍ନ ହୋଇଛି ।
