ଆଜିଠୁ ବଦଳିବ ପାଗ, ତତଲା କଡ଼େଇରେ ପୁଣି ସିଝିବ ଓଡ଼ିଶା
ଭୁବନେଶ୍ୱର : ଆଜିଠୁ ପୁଣି କଲ ବଲ କରିବ ଖରା। ପାଗ ବଦଳିବ ସହ ବଢିବ ଖରା । ତତଲା କଡ଼େଇରେ ସିଝିବ ଓଡ଼ିଶା । ପଶ୍ଚିମା ଝଡ଼ର ପ୍ରଭାବ କମିଥିବା ବେଳେ ଆଜିଠୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଖରା । ତେବେ ୧୫ରୁ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ଼ ପ୍ରଭାବ । ଯାହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ୧୫ରୁ ଖରାରୁ ସାମନ୍ୟ ଆସ୍ବସ୍ତି ମିଳିବ ।
ମାର୍ଚ୍ଚରେ କାଳବୈଶାଖୀର ପ୍ରଭାବ ଓଡ଼ିଶା ଉପରେ ନଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବରେ କମିବ ତପମାତ୍ରା । ଆଉ ଖରାରୁ ମିଳିବ ଆଶ୍ବସ୍ତି । ୧୫ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ସମେତ ରାୟଗଡା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଆଜିଠୁ ସାରା ରାଜ୍ୟରେ ତାପମାତ୍ରା ବଢିବ । ଓଡିଶା ଓ ସଂଲଗ୍ନ ରାଜ୍ୟରେ ୧୫ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଟ୍ରଫଲାଇନ୍ ରେ ପରିଣତ ହୋଇ ରାଜ୍ୟର ପାଗରେ ପରିବର୍ତ୍ତନ ଆଣିବ । ଖରାଦିନିଆ ଫସଲ ଆମ୍ବ, ପଣସ ପାଇଁ ଏହା ଅନୁକୂଳ ରହିବ ।
