ବଦଳିଲା ମେଲବୋର୍ଣ୍ଣର ପାଣିପାଗ ! ଭାରତ-ପାକିସ୍ତାନ ମ୍ୟାଚରୁ ହଟିଲା ସଙ୍କଟର କଳା ବାଦଲ, ଜାଣନ୍ତୁ ବର୍ଷାର ସମ୍ଭାବନା କେତେ
ମେଲବୋର୍ଣ୍ଣ : ଆଜି ଟି-୨୦ ବିଶ୍ଵ କପ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ମହାମୁକାବିଲା। ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ । ସୁପର-୧୨ରେ ଦୁଇ ଦଳର ଏହା ହେବ ପ୍ରଥମ ମୁକାବିଲା। ଦୁଇ ଦଳ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ। ପ୍ରାୟ ଏକ ଲକ୍ଷ ଦର୍ଶକଙ୍କ ଉପସ୍ଥିତିରେ ଉଛୁଳିବ ଷ୍ଟାଡିୟମ। ତେବେ ଏହା ମଧ୍ୟରେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଖୁସିର ଖବର। ଭାରତୀୟ ସମୟ ଅପରାହ୍ନ ୧ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ।
ଦୁଇ ଦିନ ପୂର୍ବରୁ, ଏକ ଖବର ଥିଲା ଯେ ରବିବାର ଦିନ ଅର୍ଥାତ ୨୩ ଅକ୍ଟୋବରରେ ମେଲବର୍ଣ୍ଣରେ ପ୍ରବଳ ବର୍ଷା ହେବ ଓ ଏହାର ସମ୍ଭାବନା ୯୬% ଥିଲା । କିନ୍ତୁ ବର୍ତ୍ତମାନ ଏହି ମ୍ୟାଚକୁ ନେଇ ଆସିଥିବା ସଙ୍କଟର ବାଦଲ ହଟୁଥିବା ଜଣାପଡିଛି । ବାସ୍ତବରେ, ଲାଟେଷ୍ଟ ପାଣିପାଗ ରିପୋର୍ଟ ଅନୁଯାୟୀ ରବିବାର ଦିନ ବର୍ଷା ହେବାର ସମ୍ଭାବନା ମାତ୍ର ୨୦% ରହିଛି । ଶନିବାର ଦିନ ମଧ୍ୟ ମେଲବୋର୍ଣ୍ଣର ପାଣିପାଗ ପରିଷ୍କାର ରହିଛି ଓ ରବିବାର ଦିନ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଗ ପରିଷ୍କାର ରହିବାର ସମ୍ଭାବନା ରହିଛି । ଯଦିଓ ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା ଅଛି, କିନ୍ତୁ ମ୍ୟାଚ୍ ବିନା ବାଧାରେ ଶେଷ ହେବାର ଆଶା କରାଯାଉଛି ।
ଏପରିକି ଭାରତ ବନାମ ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୨ ଓଭର ହ୍ରାସ କରିବାକୁ ନେଇ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କହିଛନ୍ତି, “ସମସ୍ତେ ୪୦ ଓଭର ମ୍ୟାଚ ଦେଖିବାକୁ ଚାହାଁନ୍ତି, କାରଣ ସମସ୍ତ ପ୍ରଶଂସକ ୨୦ ଓଭର ଲେଖାଏଁ ମ୍ୟାଚ ଦେଖିବା ପାଇଁ ଟିକେଟ କିଣୁଛନ୍ତି, କିନ୍ତୁ ଆମେ ମଧ୍ୟ ମ୍ୟାଚ ପାଇଁ ପ୍ରସ୍ତୁତ ଅଛୁ, ୧୦ ଓଭର ଲେଖାଏଁ ହେଉ କିମ୍ବା ଏହାଠାରୁ ଆହୁରି ଛୋଟ ହେଉ, କାରଣ ପ୍ରତ୍ୟେକ ଦଳ ମ୍ୟାଚ୍ ଖେଳିବାକୁ ଚାହାଁନ୍ତି ।”
ବିଶ୍ୱକପ ପାଇଁ ଉଭୟ ଦଳ:
ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷେଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ସାମୀ ।
ପାକିସ୍ଥାନ: ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ଉଇକେଟ କିପର), ଶାନ ମସୁଦ, ଫଖର ଜମାନ, ଆସିଫ ଅଲି, ଇଫ୍ତିଖର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ଶଦାବ ଖାନ, ହରିସ ରାଉଫ, ମହମ୍ମଦ ହସନେନ, ନାସିମ ଶାହା ଓ ମହମ୍ମଦ ୱାସିମ ଜୁନିୟର ।
