ରାମନବମୀ ଦିନ ଅଯୋଧ୍ୟାରେ ପହଂଚିବ ସୀତାକୁଣ୍ଡର ପାଣି
ମାଲକାନଗିରି: ମାଲକାନଗିରି ଜିଲା ବଣ୍ଡାଘାଟିରେ ଥିବା ସୀତାକୁଣ୍ଡର ପାଣି ଯିବ ଅଯୋଧ୍ୟା । ଆଉ ଏହି ପାଣି ନେବେ ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥ । ସାଧୁସନ୍ଥମାନେ ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ବଣ୍ଡାଘାଟିରେ ପହଂଚିଛନ୍ତି । ଏହି ସମାରୋହରେ ଯୋଗ ଦେବା ପାଇଁ ବଣ୍ଡାଘାଟିରେ ପହଂଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ମଙ୍ଗଳବାର ଦିନ ୧୧ ଟା ସମୟରେ ବଣ୍ଡାଘାଟିର ସୀତାକୁଣ୍ଡରେ ପହଂଚି ସାଧୁସନ୍ଥଙ୍କ ସହ ରାଜ୍ୟପାଳ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜ୍ୟପାଳ ଏଠାରୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଛନ୍ତି । ଏହାଛଡ଼ା ସେ ଶ୍ରୀରାମ ବନ ଗମନ କାବ୍ୟଯାତ୍ରାର ଶୁଭାରମ୍ଭ ବି କରିଛନ୍ତି । ସୀତାକୁଣ୍ଡର ପାଣି ରାମନବମୀ ଦିନ ଅଯୋଧ୍ୟାରେ ପହଂଚିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଗସ୍ତ ଲାଗି ମାଓପ୍ରବଣ ବଣ୍ଡାଘାଟିରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ, ପୌରାଣିକ କଥାବସ୍ତୁ ଅନୁଯାୟୀ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଯେଉଁ ଯେଉଁ ସ୍ଥାନରେ ସମୟ ବିତାଇଥିଲେ, ସେହିସବୁ ସ୍ଥାନରୁ ଅଯୋଧ୍ୟାକୁ ପାଣି ଅଣାଯାଉଛି । ଓଡ଼ିଶାର ଏକମାତ୍ର ସ୍ଥାନ ସୀତାକୁଣ୍ଡର ଜଳ ନେବା ପାଇଁ ସ୍ଥିର ହୋଇଛି । ଶ୍ରୀଲଙ୍କାଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ କିଛି ସ୍ଥାନକୁ ସାଧୁସନ୍ଥମାନେ ରଥରେ ଶିବରାତ୍ରୀ ଦିନଠାରୁ ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ରାମନବମୀ ଦିନ ଅଯୋଧ୍ୟାରେ ପହଂଚିବ ଏହି ରଥ ।
