ହ୍ରାସ ପାଉଛି ଜଳକା ଜଳସ୍ତର, ତଥାପି ବିପଦ ସଂକେତ ଉପରେ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀରେ ବୁଧବାର ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ଗୁରୁବାର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ହେଁ ବୁଧବାର ଅପେକ୍ଷା ହ୍ରାସ ପାଇଥିବାରୁ ବନ୍ୟାର ଆଶଙ୍କା ନାହିଁ । ବସ୍ତା ବ୍ଲକର ମଥାନୀ ଠାରେ ଜଳକାର ବିପଦ ସଂକେତ ୫.୫ ମିଟର ଥିବାବେଳେ ବୁଧବାର ଦିନ ୧୨ଟା ସୁଦ୍ଧା ଜଳସ୍ତର ୭.୩୧ ମିଟରରେ ପ୍ରବାହିତ ହେଉଥିଲା । ରାତି ୮ ଟାରେ ୬.୯୦ ମିଟର ଥିବା ବେଳେ ଗୁରୁବାର ସକାଳକୁ ଜଳସ୍ତର ୬.୬୯ ରେ ପହଞ୍ଚି ଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ପୁଣି ହ୍ରାସ ହୋଇ ୬.୫୫ ମିଟରରେ ପ୍ରବାହିତ ହେଉଥିବା ଜଳସେଚନ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ଦାସ କହିଛନ୍ତି
ଉପରମୁଣ୍ଡ ମୟୁରଭଞ୍ଜ ଜିଲାରେ ମଙ୍ଗଳବାର ରାତିତମାମ ପ୍ରବଳ ବର୍ଷା ଯୋଗୁଁ ରାତି ୧ଟାରେ ଜଳସ୍ତର ୭ ମିଟର ଅତିକ୍ରମ କରିଥିଲା । ଏହାଛଡ଼ା ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ଏକତାଳି ଠାରେ ଜମ୍ଭୀରାଇ ନଦୀର ପ୍ରାୟ ଦୁଇଶହ ମିଟର ବନ୍ଧ ଭାଙ୍ଗିଯିବା କାରଣରୁ ହଠାତ ଜଳକାର ଜଳସ୍ତର ବୃଦ୍ଧି ଘଟିଥିଲା । ଫଳରେ ବସ୍ତା ବ୍ଲକର ଗଡ଼ପଦା, ରାଉତପଡ଼ା, ଦୁଧହଂସା, ମଥାନୀ, ବାହାର୍ଦ୍ଦା, କୁଡ଼ିଆ, ସଦାନନ୍ଦପୁର, ପତ୍ରଝଡ଼ା, ବ୍ରାହ୍ମଣଦା, ବରୁଣଗଡ଼ିଆ, ବାସୀଚକୁରି, ଇଡ଼ଦା, ଦରଡ଼ା ସମେତ ସଦର ବ୍ଲକର ରସଲପୁର ଓ ଶ୍ରୀରାମପୁର ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ, ବିଡ଼ିଓ ଜ୍ଞାନରଞ୍ଜନ ସାହୁ, ଜଳସେଚନ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ । ଅପରପକ୍ଷରେ ଓଡ୍ରାଫ ଟିମ ସହ ଅଗ୍ନିଶମ ବିଭାଗ ପହଞ୍ôଚ ପାଣି ଘେରରେ ଥିବା ଲୋକ, ଗୃହପାଳିତ ପ୍ରାଣୀ, ଆସବାବପତ୍ର ଆଦିକୁ ଉଦ୍ଧାର କରିଥିଲେ ।
