ବଦଳିବକି ପାକିସ୍ତାନ ପ୍ରଧାନମନ୍ତ୍ରୀ ! ଆଜି ଇମ୍ରାନ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ
ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କ ଉପରେ ଏବେ ସଂକଟର କଳା ବାଦଲ ଘନେଇଛି। ତାଙ୍କ ସରକାର ଭାଙ୍ଗିବା ଏକପ୍ରକାର ନିଶ୍ଚିତ ବୋଲି ଏବେ କୁହାଯାଉଛି। ରବିବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ପାକିସ୍ତାନ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି। ଏହି ଅଧିବେଶନରେ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ।
ଭୋଟିଂ ପୂର୍ବରୁ ଇସଲାମାବାଦ ସ୍ଥିତ ନ୍ୟାସନାଲ ଆସେମ୍ୱଲିର ସୁରକ୍ଷା କଡ଼ାକଡି କରାଯାଇଛି। ସେପଟେ ବିରୋଧୀ ଦଳ ନେତା ସହବାଜ ସରିଫ ଇସ୍ଲାମାବାଦ କ୍ୟାପିଟାଲ ଟେରିଟରୀ (ଆଇସିଟି)ରେ ପ୍ରତ୍ୟେକ ସାଂସଦଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି। ସ୍ୱତନ୍ତ୍ର ସୁରକ୍ଷାକୁ ଧ୍ୟାନରେ ରଖି ପୁରା ଇସଲାମାବାଦରେ ରେଡଆଲର୍ଟ ଜାରି ହୋଇଛି। ଏଥିରେ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଶହବାଜ ସରିଫଙ୍କ ସୁରକ୍ଷା ଲାଗି ପୋଲିସ କମାଣ୍ଡୋଙ୍କୁ ମୁତୟନ କରାଯାଇଥିବା ଜଣାପଡିଛି। ଅନାସ୍ଥା ପ୍ରସ୍ତାବ ଉପରେ ରବିବାର ଭୋଟିଂ ହେବ। ଏଥିରେ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ତାର ଅସନ୍ତୁଷ୍ଟ ସାଂସଦଙ୍କୁ ଭୋଟରେ ସାମିଲ କରିବ ନାହିଁ ବୋଲି ସୂଚନା ଆସୁଛି। କୁହାଯାଉଛି ଭୋଟଗ୍ରହଣ ପ୍ରକ୍ରିୟା ନେଇ ପ୍ରଶ୍ନରୁ ବର୍ତ୍ତିବା ଲାଗି ଶାସକ ଦଳ ଏଭଳି ଉପାୟ ଅବଲମ୍ବନ କରୁଛି।
ଏଥିରେ ଇମ୍ରାନଙ୍କ ମନ୍ତ୍ରୀମଣ୍ଡଳର ସବୁଠୁ ବିଶ୍ୱସ୍ଥ ମନ୍ତ୍ରୀ ତଥା ସାଂସଦ ଫବାଦ ଚୌଧୁରୀଙ୍କ ଏକ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ବିରୋଧୀ ଦଳଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଶହବାଜ ସରିଫଙ୍କୁ ଟାର୍ଗେଟ୍ କରି ସ୍ୱପ୍ନ ଦେଖିବା କିଛି ଖରାପ କଥା ନୁହେଁ। ସମସ୍ତଙ୍କର ସ୍ୱପ୍ନ ଦେଖିବାର ଅଧିକାର ରହିଛି। ଏଥିରେ ଯଦି ଶାହାବାଜ ସରିଫ ପାକିସ୍ତାନର ୱଜିର-ଏ-ଆଜମ ହେବାର ସ୍ୱପ୍ନ ଦେଖୁଛନ୍ତି ଆମେ ଆଉ କଣ କହିପାରିବୁ , କିନ୍ତୁ ସେ ଧ୍ୟାନ ରଖନ୍ତୁ ଆମେ କୌଣସି ପ୍ରକାରେ ତାଙ୍କ ସ୍ୱପ୍ନ ପୂରଣ ହେବାକୁ ଦେବୁନି ବୋଲି କହିଛନ୍ତି ଫବାଦ।
ଅନ୍ୟପକ୍ଷରେ ଇମ୍ରାନ ଓ ତାଙ୍କ ମନ୍ତ୍ରୀମାନେ ସରକାରକୁ ନେଇ କୌଣସି ବିପଦ ନଥିବା ଦାବି କରୁଛନ୍ତି। ଏଥିରେ ଇମ୍ରାନ ଗଣମାଧ୍ୟମରେ ପୁଣି ଏକ ବଡ଼ ବୟାନ ଦେଇଛନ୍ତି। ସାକ୍ଷାତକାରରେ ପୁରା ଦେଶ ଓ ଦୁନିଆକୁ ସତର୍କ କରାଇଛନ୍ତି। ରବିବାର ସେ ଏକ ବଡ ରହସ୍ୟ ଉପରୁ ପର୍ଦ୍ଦା ହଟାଇବେ ବୋଲି ଘୋଷଣା କରିଛନ୍ତି। ଏଥିରେ ଇମ୍ରାନ କୋଉ ରହସ୍ୟ ଉପରୁ ପର୍ଦ୍ଦା ହଟାଇବେ ତା ଉପରେ ସାରା ଦେଶ ଓ ଦୁନିଆର ନଜର ରହିଛି।
