ସ୍ୱେଛାକୃତ ରକ୍ତଦାନ ଶିବିର, ୨୫ ୟୁନିଟ ସଂଗୃହୀତ
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ମେଡ଼ିକାଲ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଜାତୀୟ ରକ୍ତଦାନ ଦିବସ ଉପଲକ୍ଷେ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉଦ୍ଘାଟନ କରିଥିଲେ । ଶିବିରରେ ମୋଟ୍ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
୪୬ ତମ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ନୀଳଗିରି ଓଡ଼ିଶା ରକ୍ତକେନ୍ଦ୍ର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ନୀଳଗିରି ଉପ-ଜିଲାପାଳ ହରିଶ୍ଚନ୍ଦ୍ର ଜେନା ଉଦ୍ଘାଟନ କରିଥିବା ବେଳେ ନୀଳଗିରି ମେଡିକାଲର ଏସ୍ଡ଼ିଏମ୍ଓ ଡା. ଅଜୟ କୃଷ୍ଣ ସାମଲ ପୌରୋହିତ୍ୟ କରିଥିଲେ । ପ୍ରତି ବର୍ଷ ଅକ୍ଟୋବର ୧ ତାରିଖକୁ ଜାତୀୟ ରକ୍ତଦାତା ଦିବସ ରୂପେ ପାଳନ କରାଯାଏ । ସ୍ୱେଛାକୃତ ରକ୍ତ ଦାତା ମାନଙ୍କୁ ଆଜିର ଦିନଟି ସମର୍ପିତ ବୋଲି କହିଥିଲେ । ରକ୍ତଦାତା ସଂଘ ସଭାପତି ଗୋପାଳ ମହାପାତ୍ର, ସମ୍ପାଦକ ବିଜୟ ପାତ୍ର, ରକ୍ତଭଣ୍ଡାର ଅଧିକାରୀ ଡା. ତ୍ରିନାଥ ପାଲ, ଉପଦେଷ୍ଟା ରବି ରାଉତ, ଟେକ୍ନିସିଆନ ସରୋଜ ପସା, ପୁର୍ବତନ ବରିଷ୍ଠ ଟେକ୍ନିସିଆନ ମାୟାଧର ମହାନ୍ତି, ଗଙ୍ଗାଧର ମିଶ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରକ୍ତଦାନ ଶିବିର କରୁଥିବା ୨୨ଟି ସଙ୍ଗଠକଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିବାବେଳେ ନୀଳଗିରି ବିଧାୟକଙ୍କ ରକ୍ତଦାନ ଶିବିରରୁ ସର୍ବାଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବାର ଜଣାପଡ଼ିଛି ।
