ଅଧିନାୟକ ପଦ ଛାଡ଼ିବା ବିରାଟଙ୍କ ବ୍ୟକ୍ତିଗତ ନିଷ୍ପତି : ବିସିସିଆଇ
ମୁମ୍ବାଇ : ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଶେଷ ହେବା ପରେ ଟିମ ଇଣ୍ଡିଆର ଅଧିନାୟକ ପଦ ଛାଡି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ବିରାଟ କୋହଲି । ତେବେ ଟିମ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ବିରାଟଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛି ବିସିସିଆଇ । ଆଉ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି ବୋଲି ଟୁଇଟ୍ କରି କହିଛି । ବର୍ତମାନ ବିସିସିଆଇ ବିରାଟ କୋହଲିଙ୍କୁ ନେଇ ବିସ୍ତୃତ ବୟାନ ଜାରି କରିଛି ।
ବିସିସିଆଇ ନିଜ ବୟାନରେ କହିଛି, ବିରାଟ କୋହଲି ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ । ଧୋନୀଙ୍କଠାରୁ ଅଧିନାୟକ ପଦ ଗ୍ରହଣ କରିବା ପରେ ୬୮ଟି ଟେଷ୍ଟ ମ୍ୟାଚରେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଯେଉଁଥିରେ ସେ ୪୦ଟି ମ୍ୟାଚରେ ସେ ବିଜୟ ହାସଲ କରିଛନ୍ତି । ତାଙ୍କ ବିଜୟ ହାର ୫୮.୮୨ ପ୍ରତିଶତ ରହିଛି । ଅଧିନାୟକ ଭାବେ ସେ ଶେଷ ଥର ଶ୍ରୀଲଙ୍କାରେ ସିରିଜ ବିଜୟୀ ହୋଇଥିଲେ । ସେହିପରି ବିରାଟଙ୍କ ଅଧିନାୟକତ୍ୱରେ ଭାରତ ୨୦୧୮ରେ ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିଥିଲା । ୱେଷ୍ଟଇଣ୍ଡିଜକୁ ହରାଇ, ଟେଷ୍ଟରେ ୧ ନମ୍ବର ସ୍ଥାନ ହାସଲ କରିଥିଲା ଟିମ ଇଣ୍ଡିଆ । ଚାମ୍ପିୟନସିପର ଫାଇନାଲରେ ମଧ୍ୟ ନିଜ ଜାଗା ପକ୍କା କରିଥିଲା ଟିମ ଇଣ୍ଡିଆ । ବିରାଟ ଭାରତରେ ୩୧ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି, ଯେଉଁଥିରେ ସେ ୨୪ଟିରେ ବିଜୟୀ ହୋଇଥିଲା ବେଳେ ମାତ୍ର ୨ଟି ମ୍ୟାଚରେ ପରାଜୟ ହୋଇଛନ୍ତି ।
ସୂଚନା ଯେ, ଗତ ଶନିବାର ସନ୍ଧ୍ୟାରେ ଟିମ୍ ଇଣ୍ଡିଆର ଟେଷ୍ଟ୍ ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରି ବିରାଟ କୋହଲି ହଟଚମଟ ସୃଷ୍ଟି କରିଛନ୍ତି । ତାଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତି ସମସ୍ତଙ୍କୁ ବିସ୍ମିତ କରିଛି । ଦକ୍ଷିଣଆଫ୍ରିକାଠାରୁ ଟେଷ୍ଟ୍ ସିରିଜ ହାରିବା ପରେ ଶନିବାର ସେ ସାମାଜିକ ଗଣମାଧ୍ୟମରେ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି । ଏକଦିବସୀୟ ଅଧିନାୟକ ପଦରୁ ହଟାଇବା ଲାଗି ବିସିସିଆଇ ନିଷ୍ପତିର ଗୋଟିଏ ମାସ ପରେ କୋହଲି ଏହି ପଦକ୍ଷେପ ନେଇଛନ୍ତି । ଟି-୨୦ର ଅଧିନାୟକ ପଦରୁ ଓହରିଯିବା ଲାଗି ବିରାଟ ନିଜ ଆଡ଼ୁ ଘୋଷଣା କରିଥିଲେ । ସେହିପରି ଭାରତୀୟ ଦଳର ଅଧିନାୟକ ଭାବେ ବିରାଟ ସବୁଠୁ ଅଧିକ ୬୮ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି । ପୁଣି ଟେଷ୍ଟରେ ଅଧିନାୟକ ଭାବେ ସେ ସର୍ବାଧିକ ୪୦ଟି ମ୍ୟାଚ୍ରେ ବିଜୟୀ ହୋଇଛନ୍ତି । ତାଙ୍କର ବିଜୟୀ ହାର ୫୮.୮୨% ରହିଛି । ସେହିଭଳି ଟେଷ୍ଟ ଇତିହାସରେ ବିରାଟ ହେଉଛନ୍ତି ଚତୁର୍ଥ ସଫଳ ଟେଷ୍ଟ କ୍ୟାପ୍ଟେନ୍ । ତାଙ୍କ ଆଗରେ ରହିଛନ୍ତି ଗ୍ରେମ ସ୍ମିଥ୍ (୫୩ଟି ବିଜୟ), ରିକି ପଂଟିଂ (୪୮ ବିଜୟ) ଓ ଷ୍ଟିଭ୍ ୱାଗ୍ (୪୧ ବିଜୟ) । ଭାରତୀୟ ଟେଷ୍ଟ୍ ଅଧିନାୟକ ଭାବେ ବିରାଟ ସର୍ବାଧିକ ୫,୮୬୪ ରନ୍ ସଂଗ୍ରହ କରିଛନ୍ତି । ସେହିଭଳି ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ତାଙ୍କ ବ୍ୟାଟିଂ ଆଭେରେଜ୍ ମଧ୍ୟ ସର୍ବାଧିକ ୫୪.୮୦% ରହିଛି । ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ବିରାଟ ସର୍ବାଧିକ ୨୦ଟି ଶତକ ହାସଲ କରିଛନ୍ତି । ସେହିପରି ସେ ଭାରତୀୟ ଅଧିନାୟକ ଭାବେ ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ୭ଟି ଦ୍ୱିଶତକ ହାସଲ କରିଛନ୍ତି ।
