୧୦୧ତମ ଟେଷ୍ଟରେ ଶତକରୁ ବଞ୍ଚିତ ହେଲେ ବିରାଟ
ବେଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମ ପିଙ୍କ ବଲ୍ ଟେଷ୍ଟ ଜାରି ରହିଛି । ଏଥିରେ ସମସ୍ତଙ୍କୁ ଆଶା ଥିଲା ଯେ, ଏଠାରେ କୋହଲି ନିଜ ଶତକ କରିବେ । କୋହଲି ଟେଷ୍ଟରେ ଶେଷ ଥର ପାଇଁ ଶତକ ୨୦୧୯ରେ କରିଥିଲେ । ଏହା ପରେ ସେ ଆଉ ଶତକ ମାରି ପାରି ନାହାନ୍ତି। ତେଣୁ ଯେତେବେଳେ ସେ ଗ୍ରାଉଣ୍ଡରେ ପହଞ୍ଚିଲେ, ପୁରା ପାଭିଲିୟନ ତାଙ୍କ ନାମରେ ନାରା ଦେବା ଆରମ୍ଭ କରିଦେଇଥିଲେ । ମାତ୍ର ଏମିତି ଘଟିନାହିଁ। ମ୍ୟାଚର ପ୍ରଥମ ଦିନରେ ହିଁ ବିରାଟ କୋହଲି ୨୩ ରନ କରି ଆଉଟ୍ ହୋଇଛନ୍ତି।
ଭାରତ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଭାରତକୁ ଝଟକା ପରେ ଝଟକା ଲାଗିଥିଲା। ପ୍ରଥମେ ମୟଙ୍କ ଅଗ୍ରଓ୍ଵାନ ରନ ଆଉଟ୍ ହୋଇଥିଲେ। ପୁଣି ଅଧିନାୟକ ରୋହିତ ଶର୍ମା ଶସ୍ତାରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ଦଳକୁ ଲଗାତାର ଦୁଇଟି ଝଟକା ଲାଗିଥିଲା। ହନୁମା ବିହାରୀ ଏବଂ ବିରାଟ କୋହଲି ଦଳୀୟ ସ୍କୋର ୧୦୦ ରନ ଭିତରେ ଆଉଟ୍ ହୋଇଥିଲେ। ବିରାଟ କୋହଲି ଯେବେ ମଇଦାନକୁ ବ୍ୟାଟିଂ ପାଇଁ ଓହ୍ଲାଇଲେ ଷ୍ଟାଡିୟମରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ପରେ ଭାରତରେ ଷ୍ଟାଡିୟମରେ ୧୦୦ ପ୍ରତିଶତ ଦର୍ଶକଙ୍କ ପ୍ରବେଶକୁ ଅନୁମତି ମିଳିଛି। ବିରାଟ କୋହଲି ଭଲ ଆରମ୍ଭ ମଧ୍ୟ କରିଥିଲେ। ହେଲେ ମାତ୍ର ୪୮ ବଲ୍ରେ ୨୩ ରନ କରି ଧନଞ୍ଜୟ ଡି ସିଲଭାଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଛନ୍ତି।
ଏହା ପୂର୍ବରୁ ମୋହାଲିରେ ନିଜର ୧୦୦ତମ ଟେଷ୍ଟରେ ବିରାଟ କୋହଲି ୪୫ ରନ କରିଥିଲେ। ବେଙ୍ଗାଲୁରୁର ଏହି ପିଚ୍କୁ ନେଇ ପ୍ରଥମ ଦିନରୁ ହିଁ ପ୍ରଶ୍ନ ଉଠିବା ଆରମ୍ଭ ହୋଇ ଯାଇଛି। କାରଣ ପ୍ରଥମ ସେସନରୁ ହିଁ ବଲ୍ ବହୁତ ଟର୍ଣ୍ଣ ହେଉଛି। ଏହି କାରଣରୁ ଶ୍ରୀଲଙ୍କା ଉଭୟ ପାର୍ଶ୍ଵରୁ ସ୍ପିନ ଆକ୍ରମଣ କରୁଛି। ସାଧାରଣତଃ ଭାରତରେ ତୃତୀୟ ଦିନରୁ ହିଁ ବଲ୍ ଏତେ ଘୁରିଥାଏ।
