ଦ୍ୱିତୀୟ ଟେଷ୍ଟ : ଭାରତକୁ ଅଲ୍ଆଉଟ୍ ପରେ ଚିତ୍ପଟାଙ୍ଗ ହେଲା ଶ୍ରୀଲଙ୍କା
ବେଙ୍ଗାଲୁରୁ : ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ପ୍ରଥମ ଇନିଂସରେ ୨୫୨ ରନ୍ରେ ଅଲ୍ଆଉଟ୍ କରିବା ପରେ ଚିତ୍ପଟାଙ୍ଗ ମାରିଛି ଶ୍ରୀଲଙ୍କା । ଭ୍ରମଣକାରୀ ଦଳ ମାତ୍ର ୮୬ ରନ୍ରେ ୬ଟି ୱିକେଟ୍ ହରାଇଛି । ନିରୋଶାନ ଡିକୱେଲା ଓ ଲସିଥ ଏମ୍ବୁଲଡେନିୟା ଅପରାଜିତ ରହିଛନ୍ତି ଏବଂ ରବିବାର ପୁଣି ଦଳର ଇନିଂସକୁ ଆଗେଇ ନେବେ ।
ଭାରତକୁ ୨୫୨ ରନ୍ରେ ଅଲ୍ଆଉଟ୍ କରିବା ପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଶ୍ରୀଲଙ୍କା ଟିମ୍ । କିନ୍ତୁ ୨.୧ ଓଭରରେ ଦଳ ପ୍ରଥମେ କୁଶାଲ ମେଣ୍ଡିସ୍ଙ୍କୁ ହରାଇଥିଲା । ସେ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ଯଶପ୍ରୀତ ବୁମ୍ରାଙ୍କ ବଲରେ ଶ୍ରେୟସ ଆୟରଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହା ପରେ ୪.୧ ଓଭରରେ ଆଉଟ୍ ହୋଇଥିଲେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଲାହିରୁ ଥିରିମାନେ । ସେ ୮ ରନ୍ କରିବାକୁ ସମର୍ଥ ହୋଇଥିଲେ । ତାଙ୍କ ୱିକେଟ୍ ବି ନେଇଥିଲେ ଯଶପ୍ରୀତ୍ । ପରବର୍ତୀ ଓଭର ଅର୍ଥାତ୍ ୫ମ ଓଭରର ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ ଅଧିନାୟକ ଦିମୁତ କରୁଣାରତ୍ନେ । ସେ ୪ ରନ୍ କରିଥିବା ବେଳେ ମହମ୍ମଦ ଶାମିଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ୪ ଓ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଆଞ୍ଜେଲୋ ମାଥ୍ୟୁସ ଓ ଧନଞ୍ଜୟ ଡି’ସିଲ୍ଭା ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ । କିନ୍ତୁ ୧୧.୫ ଓଭରରେ ଆଉଟ୍ ହୋଇଯାଇଥିଲେ ଧନଞ୍ଜୟ । ୨୪ଟି ବଲ୍ରୁ ୧୦ ରନ୍ କରିଥିବା ବେଳେ ତାଙ୍କୁ ଏଲ୍ବିଡବ୍ଲ୍ୟୁ କରିଥିଲେ ମହମ୍ମଦ ଶାମି । ଧନଞ୍ଜୟଙ୍କ ପରେ ଚରିତ ଅସଲଙ୍କା ଆଉଟ୍ ହୋଇଥିଲେ । ସେ ଅକ୍ଷର ପଟେଲଙ୍କ ବଲ୍ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ଆଞ୍ଜେଲୋ ମାଥ୍ୟୁସ୍ ଇନିଂସକୁ ଆଗେଇ ନେବାକୁ ପ୍ରୟାସ କରିଥିଲେ । କିନ୍ତୁ ୮୫ଟି ବଲ୍ର ସମ୍ମୁଖୀନ ହୋଇ ୪୩ ରନ୍ କରିଥିବା ଆଞ୍ଜେଲୋ ୨୮.୧ ଓଭରରେ ଯଶପ୍ରୀତ୍ ବୁମ୍ରାଙ୍କ ବଲ୍ରେ ରୋହିତ ଶର୍ମାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ ଓ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଛନ୍ତି ।
ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ଭାବେ ପରାଜିତ ହୋଇଥିବା ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ପ୍ରତିଶୋଧ ନେବାକୁ ପୂରା ପ୍ରସ୍ତୁତ ହୋଇ ଆସିଛି କି ବେଙ୍ଗାଲୁରୁରେ ଆଜି ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ଭାରତର ପ୍ରଥମ ଇନିଂସକୁ ଦେଖିଲେ ଲାଗୁଛି ବଦ୍ଲା ମୁଡ୍ରେ ରହିଛି ଭ୍ରମଣକାରୀ ଦଳ । ଦଳର ବୋଲିଂ ସାମ୍ନାରେ ଶ୍ରେୟସ ଆୟରଙ୍କ ବ୍ୟତୀତ ଆଉ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରି ନାହାନ୍ତି । ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ ୫୭୪ ରନ୍ କରିଥିବା ଭାରତୀୟ ଦଳ ଆଜି ମାତ୍ର ୨୫୨ ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି । ଏହା ପୂର୍ବରୁ ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଆରମ୍ଭରୁ ଭାରତକୁ ଝଟକା ପରେ ଝଟକା ଲାଗିଥିଲା । ପ୍ରଥମେ ମୟଙ୍କ ଅଗ୍ରୱାଲ(୪) ରନ ଆଉଟ୍ ହୋଇଥିଲେ । ପୁଣି ଅଧିନାୟକ ରୋହିତ ଶର୍ମା(୧୫) ଶସ୍ତାରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଏହା ପରେ ଦଳକୁ ଲଗାତାର ଦୁଇଟି ଝଟକା ଲାଗିଥିଲା । ହନୁମା ବିହାରୀ କିଛି ସମୟ କ୍ରିଜରେ ଜମି ରହିଥିଲେ ହେଁ ୨୩ ରନ କରି ପାଭିଲିୟନ ଫେରିଥିଲେ । ପୁଣି ବିରାଟ କୋହଲି ଦଳୀୟ ସ୍କୋର ୧୦୦ ରନ ଭିତରେ ଆଉଟ୍ ହୋଇଥିଲେ । ବିରାଟ କୋହଲି ଯେବେ ମଇଦାନକୁ ବ୍ୟାଟିଂ ପାଇଁ ଓହ୍ଲାଇଲେ ଷ୍ଟାଡିୟମରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ପରେ ଭାରତରେ ଷ୍ଟାଡିୟମରେ ୧୦୦ ପ୍ରତିଶତ ଦର୍ଶକଙ୍କ ପ୍ରବେଶକୁ ଅନୁମତି ମିଳିଛି । ବିରାଟ କୋହଲି ଭଲ ଆରମ୍ଭ ମଧ୍ୟ କରିଥିଲେ । ହେଲେ ମାତ୍ର ୪୮ ବଲ୍ରେ ୨୩ ରନ କରି ଧନଞ୍ଜୟ ଡି ସିଲଭାଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଛନ୍ତି । ୮୬ ରନରେ ୪ ୱିକେଟ୍ ହରାଇବା ପରେ ଭାରତର ଇନିଂସ ସମ୍ଭାଳିଥିଲେ ଶ୍ରେୟସ ଆୟର ଓ ଋଷଭ ପନ୍ତ । ଦୁଇ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରିଥିଲେ । ବିଶେଷ କରି ପନ୍ତ ଟି-୨୦ ଶୈଳୀରେ ବ୍ୟାଟିଂ କରିଥିଲେ । ସେ ୨୬ ବଲରୁ ୭ ଚୌକା ସହ ୩୯ ରନ କରି ପାଭିଲିୟନ ଫେରିଥିଲେ । ଦୁଇ ବ୍ୟାଟସମ୍ୟାନ ପଂଚମ ୱିକେଟରେ ୪୦ ରନ ଯୋଡିଥିଲେ । ଗୋଟିଏ ପଟେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିବା ବେଳେ ଶ୍ରେୟସ ଆୟର ଦୃଢ ବ୍ୟାଟିଂ ଜାରି ରଖିଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ୪, ଅଶ୍ୱିନ ୧୩, ଅକ୍ଷର ପଟେଲ ୧୩ ଏବଂ ମହମ୍ମଦ ଶାମି ୫ ରନ କରି ଆଉଟ୍ ହୋଇଥିଲେ । ଶ୍ରେୟସ ଦ୍ରତ ବ୍ୟାଟିଂ କରି ୯୮ ବଲ୍ରୁ ୯୨ ରନ କରି ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ । ଏଥିରେ ୧୦ ଚୌକା ଏବଂ ୪ ଛକା ସାମିଲ୍ । ଶ୍ରେୟସଙ୍କ ଟେଷ୍ଟରେ ଏହା ହେଉଛି ତୃତୀୟ ଅର୍ଦ୍ଧଶତକ ।
