ଜନ୍ମଦିନରେ ଫ୍ୟାନ୍ଙ୍କୁ ୪୯ତମ ଶତକ ଭେଟିଦେଲେ ବିରାଟ କୋହଲି, ସଚିନଙ୍କ ରେକର୍ଡର ସମକକ୍ଷ
କୋଲକାତା: ଇଡେନ ଗାର୍ଡେନ୍ରେ ବିରାଟଙ୍କ ବିରାଟ ଇନିଂସ। ୩ ଥର ଫେଲ୍ ମାରିବା ପରେ ଚତୁର୍ଥ ଥର ସଫଳତା। ସଚିନଙ୍କ ସହ ସମକକ୍ଷ ହେଲେ ବିରାଟ କୋହଲି। ଦିନିକିଆରେ ହାସଲ କଲେ ୪୯ ତମ ଶତକ। ଆସନ୍ତା ମ୍ୟାଚ୍ରେ ଯଦି ଶତକ ହାସଲ କରନ୍ତି ତେବେ ସେ ସଚିନଙ୍କ ରେକର୍ଡ ଭାଙ୍ଗି ହେବେ ବିଶ୍ୱର ନମ୍ବର ୱାନ ସର୍ବାଧିକ ଦିନିକିଆ ଶତକ ହାସଲକାରୀ ବ୍ୟାଟର।
ଜନ୍ମ ଦିନରେ ଶତକ ହାସଲ କରିବାରେ ବିରାଟ ହେଉଛନ୍ତି ବିଶ୍ୱର ଅଷ୍ଟମ ଖେଳାଳି । ପୂର୍ବରୁ ବିନୋଦ କାମ୍ବଲି, ସଚିନ ତେନ୍ଦୁଲକର, ସନତ ଜୟସୂରିୟା, ରଜ୍ ଟେଲର, ଟମ୍ ଲାଥମ ଏବଂ ମିଚେଲ ମାର୍ଶ । ଟେଲର, ମାର୍ଶ ଓ କୋହଲି ଏମାନେ ସମସ୍ତେ ବିଶ୍ୱକପ୍ରେ ଏହି ସଫଳତା ଲାଭ କରିଛନ୍ତି । ସବୁଠାରୁ କମ୍ ଇନିଂସ୍ ଖେଳି କୋହଲି ଦିନିକିଆରେ ତାଙ୍କର ୪୯ତମ ଶତକ ହାସଲ କରିଛନ୍ତି ସେ ୨୭୭ ଇନିଂସରେ ଏହି ଗୌରବ ଲାଭ କରିଛନ୍ତି । କୋହଲି ଦିନିକିଆରେ ୪୯ ଏବଂ ଟେଷ୍ଟରେ ୨୯ଟି ଶତକ ହାସଲ କରିଥିବା ବେଳେ ଟି-୨୦ରେ ଗୋଟିଏ ଶତକ କରିଛନ୍ତି । ମୋଟରେ ତାଙ୍କର ଶତକ ସଂଖ୍ୟା ୭୯ରେ ପହଞ୍ଚିଲା । ଦିନିକିଆ ଶତକରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ଯାହା ବିଶ୍ୱରେ ସର୍ବାଧିକ । ଆଉ ଗୋଟିଏ ଶତକ କଲେ ସେ ସଚିନ୍ଙ୍କୁ ଟପି ବିଶ୍ୱର ସର୍ବାଧିକ ଦିନିକିଆ ଶତକ ହାସଲକାରୀ ହେବେ । ଅବଶ୍ୟ ସଚିନ୍ ୪୫୨ ଇନିଂସ୍ ଖେଳି ୪୯ ଶତକ ହାସଲ କରିଥିଲେ । ତାଙ୍କ ପଛକୁ ରୋହିତ ଶର୍ମା ୩୧, ରିକି ପଣ୍ଟିଂ ୩୦ ଏବଂ ସନତ୍ ଜୟସୂରିୟା ୨୮ଟି ଶତକ ହାସଲ କରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ବିରାଟଙ୍କ ସହ କେବଳ ରୋହିତ ଖେଳୁଥିବା ବେଳେ ଅନ୍ୟମାନେ ଅବସର ନେଇ ସାରିଛନ୍ତି ।
ରବିବାର କୋଲକାତାର ଇଡେନ ଗାର୍ଡେନ୍ରେ ଭାରତ ତାର ଅଷ୍ଟମ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚ୍ରେ ବିରାଟ ଅନ୍ତର୍ଜାତୀୟ ଦିନିକିଆରେ ୪୯ତମ ଶତକ ହାସଲ କରି ସଚିନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଏଥିସହିତ ସେ ସଚିନ, ରୋହିତଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟର ଭାବେ ଗୋଟିଏ ବିଶ୍ୱକପ୍ ସଂସ୍କରଣରେ ୫୦୦ ରନ୍ ପାର୍ କରିଛନ୍ତି। ବାଂଲାଦେଶ ବିପକ୍ଷରେ ୪୮ ତମ ଶତକ ହାସଲ କରିବା ପରେ ୪୯ ତମ ଶତକ ପାଇଁ କୋହଲିଙ୍କୁ ୩ଟି ମ୍ୟାଚ୍ ଅପେକ୍ଷା କରିବାକୁ ପଡ଼ିଥିଲା। ଶତକ ମାରିବାକୁ ଚେଷ୍ଟା କରି ବିରାଟ ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ଓ ଶ୍ରୀଲଙ୍କା ବିପକ୍ଷରେ ୮୮ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଥର ପାଇଁ ସେ ଶୂନରେ ଆଉଟ୍ ହୋଇଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ବିରୋଧରେ ୪୯ ତମ ଶତକ ମାରି ଏହି ରେକର୍ଡ ହାସଲ କରିଛନ୍ତି ବିରାଟ କୋହଲି। ତେବେ ଅଷ୍ଟ୍ରେଲିଆ ସହ ଓପନିଂ ମ୍ୟାଚରେ ବି କୋହଲି ୮୫ ରନ୍ର ବଡ଼ ଇନିଂସ ଖେଳିଥିଲେ। ତେବେ ସଚିନଙ୍କ ଠାରୁ ଦ୍ରୁତ ଗତିରେ ୪୯ ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି। ୨୮୯ ତମ ଦିନିକିରେ ବିରାଟ ଏହି ରେକର୍ଡ କରିଥିବା ବେଳେ ସଚିନଙ୍କୁ ଏଥିପାଇଁ ୪୬୨ ଦିନିକିଆ ମ୍ୟାଚ୍ ଖେଳିବାକୁ ପଡ଼ିଥିଲା। ତାହା ସଚିନଙ୍କର ୧୦୦ତମ ଅନ୍ତର୍ଜାତୀୟ ଶତକ ମଧ୍ୟ ଥିଲା। ଯାହା ଏବେ ବି କୌଣସି ବ୍ୟାଟର କରିପାରି ନାହାନ୍ତି। ହେଲେ ବିରାଟ କୋହଲି ଏହି ରେକର୍ଡ ଭାଙ୍ଗି ଦେଇପାରନ୍ତି। ତେବେ ଏଥିପାଇଁ ତାଙ୍କୁ ଆଉ କିଛି ମ୍ୟାଚ୍ ଖେଳିବାକୁ ପଡ଼ିବ।
୨୦୦୮ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଅନ୍ତର୍ଜାତୀୟରେ ଡେବ୍ୟୁ କରିଥିଲେ ବିରୋଟ କୋହଲି। ଏହାପରେ ୨୦୦୯ ଡିସେମ୍ବର ସେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ଗତ ୧୫ ବର୍ଷ ଭିତରେ ବିରାଟ କୋହଲି ଜବରଦସ୍ତ ଖେଳ ପ୍ରଦର୍ଶନ କରିଛନ୍ତି। ଶତକ କଥା ଦେଖିଲେ ସେ ଏହି ୧୫ ଭର୍ଷ ଭିତରେ ଶ୍ରୀଲଙ୍କା ବିପକ୍ଷରେ ୧୦ଟି ଶତକ, ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ୯ଟି, ଅଷ୍ଟ୍ରେଲିଆ ବିପକ୍ଷରେ ୮ଟି ଶତକ ମାରିଛନ୍ତି। ସେହିପରି ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିରୋଧରେ ୫ଟି ଲେଖାଏଁ ଶତକ ମାରିଥିବା ବେଳେ ପାକିସ୍ତାନ ଓ ଇଂଲଣ୍ଡ ବିପକ୍ଷରେ ୩ଟି ଲେଖାଏ ଶତକ ହାସଲ କରିଛନ୍ତି। ଏବଂ ଜିମ୍ବାୱେ ବିରୋଧରେ ଗୋଟିଏ ଶତକ ହାସଲ କରିଛନ୍ତି ବିରାଟ କୋହଲି।
ଦିନିକିଆରେ ବିରାଟଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୮୩। ଯାହା ସେ ମୀରପୁରରେ ପାକିସ୍ତାନ ବିପକ୍ଷେର କରିଥିଲେ। ସଂଯୋଗ ବଶତଃ ସେଦିନ ସଚିନ ନିଜର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳୁଥିଲେ। ଦୁଇ ବ୍ୟାଟର ପାକିସ୍ତାନ ୩୩୦ ରନ୍କୁ ଚେଜ୍ ୧୩୩ରନ୍ ପାର୍ଟନର୍ସିପ କରିଥିଲେ।
