ଶ୍ରୀଲଙ୍କାରେ ହିଂସା ଜାରି, ସାଂସଦଙ୍କ ମୃତ୍ୟୁ
କଲମ୍ବୋ : ଶ୍ରୀଲଙ୍କାରେ ଅବସ୍ଥା ଆହୁରି ଅନିୟନ୍ତ୍ରିତ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ମଧ୍ୟ ଲୋକଙ୍କ କ୍ରୋଧ ଥନିବାର ନାଁ ଧରୁନି। ବରଂ ଭିଡ ଆହୁରି ହିଂସକ ହୋଇ ଉଠିଛନ୍ତି। ଉତ୍ତ୍ୟକ୍ତ ଲୋକେ ମାଉଣ୍ଟ ଲଭିନିଆ ଅଞ୍ଚଳରେ ସୋମବାର ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଡୋ ଏବଂ ସାଂସଦ ସନଥ ନିଶାନ୍ତଙ୍କ ଘରେ ନିଆଁ ଲଗାଇଛନ୍ତି। କର୍ଫ୍ୟୁ ପରେ ବି ହଜାର ହଜାର ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ଉଗ୍ର ଜନତା ମହିନ୍ଦା ରାଜପକ୍ଷେଙ୍କ ସମର୍ଥକଙ୍କୁ ବାଛି ବାଛି ଟାର୍ଗେଟ୍ କରୁଛନ୍ତି।
ସୂଚନା ଯେ, ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ସରକାରଙ୍କ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଛି। ଜାରି ରହିଥିବା ହିଂସାରେ ଜଣେ ସାଂସଦ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସୋମବାର ଅତ୍ୟଧିକ ଚାପ ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଦେଶର ରାଜନୈତିକ ସଙ୍କଟକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ନିଜ ଭାଇ ମହିନ୍ଦା ରାଜପକ୍ଷେଙ୍କୁ ଇସ୍ତଫା ଦେବାକୁ କହିଥିଲେ।
ଶ୍ରୀଲଙ୍କା ଗତ ଏକ ମାସରୁ ଭୟାନକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ରହିଛି। ସରକାରଙ୍କ ବିଦେଶ ରାଜସ୍ଵ ଶେଷ ହୋଇ ସାରିଛି। ସରକାର ଅର୍ଥବ୍ୟବସ୍ତା ସମ୍ଭାଳିବାରେ ବିଫଳ ହୋଇଛନ୍ତି। ଲୋକେ ସଡକକୁ ଓହ୍ଲାଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଦେଶରେ ଜରୁରୀକାଳୀନ ସ୍ଥିତି ଲାଗିବା ପରେ ବି ଲୋକେ ସରକାରଙ୍କ ବିରୋଧରେ ଉଗ୍ର ଆନ୍ଦୋଳନ ଜାରି ରଖିଛନ୍ତି। ଦେଶର ପ୍ରାୟ ସମସ୍ତ ଶ୍ରମିକ ଏବଂ ବ୍ୟବସାୟୀ ସଂଗଠନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଡତାଳ ଚଳାଇଛନ୍ତି।
