ବିଜୟ ହଜାରେ ଟ୍ରଫି: ଶେଷ ମ୍ୟାଚ୍ ହାରି ଓଡ଼ିଶା ବିଦା
କଟକ : ମୁମ୍ବାଇର ସିସିଆଇ ଗ୍ରାଉଣ୍ଡ୍ରେ ଚଳିତ ବିଜୟ ହଜାରେ ଟ୍ରଫିର ଶେଷ ମ୍ୟାଚ୍ରେ ଓଡ଼ିଶାର ମୁକାବିଲା ହିମାଚଳ ପ୍ରଦେଶ ସହ ହୋଇଥିବା ବେଳେ ଏଥିରେ ଦଳ ପରାଜୟ ବରଣ କରି ପ୍ରତିଯୋଗିତାରୁ ବିଦାୟ ନେଇଛି। ଦଳ ପ୍ରଥମ ତିନିଟି ମ୍ୟାଚ୍ରେ ବିଜୟୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ପରାସ୍ତ ହେବାରୁ ଏହା ନକଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରି ହିମାଚଳ ପ୍ରଦେଶ ୫ ୱିକେଟ୍ ବିନିମୟରେ ବିଶାଳ ୩୬୦ ରନ୍ କରିଥିବା ବେଳେ ଏହାର ଜବାବରେ ଓଡ଼ିଶା ୪୫.୧ ଓଭର୍ରେ ୨୯୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।
ଓଡ଼ିଶା ଟିମ୍ର ପ୍ରଥମ ତିନି ଜଣ ବ୍ୟାଟ୍ସମ୍ୟାନ୍ ସନ୍ଦୀପ ପଟ୍ଟନାୟକ, ଅନୁରାଗ ଷଡ଼ଙ୍ଗୀ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ହେଁ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ମାନେ ବିଶେଷ ସହଯୋଗ ଦେଇପାରି ନ ଥିଲେ। ହିମାଚଳ ଅଧିନାୟକ ଋଷି ଧୱନ୍ ୧୦ଟି ଚୌକା ଓ ୩ଟି ଛକା ସହ ଦ୍ରୁତ ୯୧ ରନ୍ କରିଥିବା ବେଳେ ଏନଆର୍ ଗାଙ୍ଗଟା ୧୧ଟି ଚୌକା ଓ ୨ଟି ଛକା ସହ ୮୧, ଓପନର ଏସ୍ଜି ଅରୋରା ୯ଟି ଚୌକା ମାଧ୍ୟମରେ ୬୯ ଏବଂ ଅନ୍ୟତମ ଓପନର ପିଏସ୍ ଚୋପ୍ରା ୭ଟି ଚୌକା ଓ ଗୋଟିଏ ଛକା ସହ ୬୪ ରନ୍ କରିଥିଲେ। ଓଡ଼ିଶା ପାଇଁ ବିକାଶ କୁମାର ରାଉତ ଓ ଜୟନ୍ତ ବେହେରା ୨ଟି ଲେଖାଏଁ ଏବଂ ସୁନୀଲ ରାଉଳ ଗୋଟିଏ ୱିକେଟ୍ ନେଇଥିଲେ। ସେହିପରି ବ୍ୟାଟିଂରେ ସନ୍ଦୀପ ୫ଟି ଚୌକା ଓ ୨ଟି ଛକା ସହ ୬୧, ତାଙ୍କ ଓପନିଂ ଯୋଡ଼ିଦାର ଅନୁରାଗ ୧୦ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୬୬ ଏବଂ ଅଧିନାୟକ ଶୁଭ୍ରାଂଶୁ ୪ଟି ଚୌକା ଓ ୨ଟି ଛକା ସହ ସର୍ବାଧିକ ୮୨ ରନ୍ କରିଥିଲେ। ଏହାଛଡ଼ା ରାଜେଶ ଧୂପର୍ ୩ଟି ଚୌକା ଓ ୨ଟି ଛକା ଜରିଆରେ ୩୪ ରନ୍ର ସହଯୋଗ ଦେଇଥିଲେ। ହିମାଚଳ ପକ୍ଷରୁ ଏମ୍ଜେ ଡଗର୍ ୬ଟି ଓ ଧୱନ୍ ୩ଟି ୱିକେଟ୍ ନେଇଥିଲେ।
