୨୦୨୨ର ଭିଜିଲାନ୍ସ ସମୀକ୍ଷା : ୧୭୪ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସଂପତି ଜବତ, ୮୪ଟି ମାମଲା ପଞ୍ଜିକୃତ
କଟକ : ୨୦୨୨ରେ ୧୭୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସଂପତି ଜବତ କରିଛି ରାଜ୍ୟ ଭିଜିଲାନ୍ସ ବିଭାଗ । ଏକ ସମୀକ୍ଷାରୁ ଜଣାଯାଇଛି ଯେ, ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜିକୃତ ହୋଇଥିଲା ବେଳେ ଏ ବାବଦରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସଂପତିକୁ ଜବତ କରାଯାଇଛି । ସେହିପରି ୨୦୨୨ରେ ମୋଟ ୨୮୫ଟି କ୍ରାଇମବ୍ରାଂଚ ମାମଲା ପଞ୍ଜିକୃତ ହୋଇଛି । ଏହି ବର୍ଷ ୨୦୦ ଜଣ ସରକାରୀ ଅଧିକାରୀ ଏବଂ ଅନ୍ୟମାନଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ୨୦୨୨ରେ ଓଡିଶା ଭିଜିଲାନ୍ସରେ ୧୧୮ଟି ଲାଂଚ ନେବା ମାମଲା ପଞ୍ଜିକୃତ ହୋଇଥିବା ବେଳେ ୧୨୬ ଜଣ କର୍ମଚାରୀଙ୍କୁ ଧରିବାରେ ସକ୍ଷମ ହୋଇଛି । ସେମାନଙ୍କଠାରୁ ୩୬.୯୪ ଲକ୍ଷ ଟଙ୍କା ଜବତ ହୋଇଛି । ଓଡିଶା ଭିଜିଲାନ୍ସ ଇତିହାସରେ ଟ୍ରାପ୍ କେସ୍ରେ ୪ ଥର ସର୍ବାଧିକ ନଗଦ ଟଙ୍କା ଜବତ ହୋଇଛି । ଏ ବାବଦରେ ୧୦ ଲକ୍ଷ ଟଙ୍କା ଲାଂଚ ଅର୍ଥ ଜବତ କରାଯାଇଛି । ସେହିଭଳି ୬୦ ଜଣ ପ୍ରଥମ ଶ୍ରେଣୀ ସରକାର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ରାଜ୍ୟ ଭିଜିଲାନ୍ସ ବିଭାଗ । ଯାହାକି ବିଗତ ୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ବୋଲି ଜଣାଯାଇଛି । ଗତ ୨୦୨୧ରେ ୪୬ ଓ ୨୦୨୦ରେ ୫୩, ୨୦୧୯ ମସିହାରେ ୪୯ ଏବଂ ୨୦୧୮ ରେ ୫୨ ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।
