ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଦ୍ୟାଭାରତୀଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଜେରା କଲା କ୍ରାଇମ୍ବ୍ରାଞ୍ଚ
ଉଦଳା : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ ରହିଛି । ଆଉ ଆଜି ହିଁ ତାଙ୍କ ମୃତ୍ୟୁ ବାବଦରେ ପତ୍ନୀ ବିଦ୍ୟାଭାରତୀଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଜେରା କରିଛି କ୍ରାଇମ୍ବ୍ରାଞ୍ଚ। ଜେରା ବେଳେ ବିଦ୍ୟାଙ୍କୁ ୭୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ସେ କିଛି ପ୍ରଶ୍ନର ରୋକ୍ଠୋକ୍ ଉତ୍ତର ରଖିଥିବା ବେଳେ ଅନେକ ପ୍ରଶ୍ନରେ ଝୁଣ୍ଟିଥିଲେ। ମଧ୍ୟାହ୍ନରୁ ଆରମ୍ଭ ହୋଇ ଜେରା ରାତି ପର୍ଯ୍ୟନ୍ତ ଚାଲିଥିଲା। ତେବେ ୭ ଘଣ୍ଟାର ଜେରା ପରେ ବି ସନ୍ତୁଷ୍ଟ ହୋଇପାରିନି କ୍ରାଇମ୍ବ୍ରାଞ୍ଚ। ଏଥିପାଇଁ ପୁଣି ଥରେ ବିଦ୍ୟାଙ୍କୁ ଜେରା କରାଯିବ ବୋଲି ସ୍ପଷ୍ଟ କରିଛି ତଦନ୍ତକାରୀ ଟିମ୍।
ସୂଚନା ଅନୁଯାୟୀ ବିଦ୍ୟାଙ୍କୁ ଜେରା ପାଇଁ ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଡିଏସ୍ପି ଇମାନ କଲ୍ୟାଣୀ ଓ ଆଉ ୩ଜଣ ଅଧିକାରୀ ମଧ୍ୟାହ୍ନ ୧୨ଟା ୩୦ରେ କପ୍ତିପଦା ଥାନାରେ ପହଞ୍ଚିଥିଲେ। ପ୍ରାୟ ଘଣ୍ଟାଏ କାଳ ସ୍ଥାନୀୟ ପୁଲିସ ସହ ମାମଲା ସମ୍ପର୍କରେ ଆଲୋଚନା ପରେ ଡିଏସ୍ପି ପ୍ରଭାସଚନ୍ଦ୍ର ପାଲ୍ ଓ କପ୍ତିପଦା ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନଙ୍କ ସହିତ କ୍ରାଇମବ୍ରାଞ୍ଚ୍ ଟିମ୍ ବିଦ୍ୟାଙ୍କ ବାସଭବନ ଅଭିମୁଖେ ବାହାରିଥିଲା। ଦିନ ଗୋଟାଏ ୪୫ରେ ବିଦ୍ୟାଙ୍କ ଘରେ ପହଞ୍ଚିଥିଲା ତଦନ୍ତକାରୀ ଟିମ୍। ଦିନ ୨ଟାରୁ ଆରମ୍ଭ ହୋଇଥିଲା ରୁଦ୍ଧଦ୍ବାର ଜେରା। ବିଦ୍ୟାଙ୍କ କଲେଜ ଜୀବନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସମସ୍ତ ଘଟଣା ସମ୍ପର୍କରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଥିଲା ତଦନ୍ତକାରୀ ଟିମ୍। କଲେଜ ଜୀବନ, ସୌମ୍ୟଙ୍କ ସହ ବିବାହ, ବୈବାହିକ ଜୀବନରେ ଝଡ଼, ଶାଶୂଘର ଲୋକଙ୍କ ସହ ସମ୍ପର୍କ, ହାତଲେଖା ଚିଠି, ବଲାଙ୍ଗୀରର ବ୍ୟାଚଲର ପାର୍ଟି, ସୌମ୍ୟଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ନେଇ ସେ ଲଗାଇଥିବା ଆରୋପ, ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ରାତିର ଘଟଣା, ଆଇଆଇସି ମମତା ପଣ୍ଡାଙ୍କ ଭୂମିକା ଓ ଡିଏଫ୍ଓଙ୍କ ସହ ସମ୍ପର୍କ ଏସମ୍ପର୍କିତ ପ୍ରଶ୍ନ ନେଇ ବିଦ୍ୟାଙ୍କୁ ଘେରିଥିଲା କ୍ରାଇମ୍ବ୍ରାଞ୍ଚ। ଡିଏସ୍ପି ଇମାନ କଲ୍ୟାଣୀଙ୍କ କହିବା ଅନୁଯାୟୀ ୭ ଘଣ୍ଟାର ଜେରା ଭିତରେ ୬୦-୭୦ ପ୍ରଶ୍ନ ପଚରାଯାଇଥିଲା। ଜେରା ବେଳେ ଅନେକ ସମୟରେ ଗଳଦଘର୍ମ ହେବା ସହ ନର୍ଭସ ହୋଇପଡ଼ିଥିଲେ ବିଦ୍ୟା। ଏକାଧିକ ଥର ପାଣି ପିଇଥିଲେ। ତେବେ ଶେଷରେ ସୌମ୍ୟଙ୍କ ମୃତ୍ୟୁ ବାବଦରେ ଆରମ୍ଭରୁ ଯେଉଁକଥା କହୁଥିଲେ ଆଜି ବି ସେହି ସମାନ କଥା ଦୋହରାଇଥିଲେ। ବିଦ୍ୟାଙ୍କ ବାପାଙ୍କୁ ବି କିଛି ସମୟ ଜେରା କରାଯାଇଥିଲା। ଆଜିର ଜେରାରୁ କ୍ରାଇମ୍ବ୍ରାଞ୍ଚ୍ ବହୁ ଅସମାହିତ ପ୍ରଶ୍ନର ଉତ୍ତର ପାଇଛି। ତେବେ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ଏହା ସହାୟ ହେବ କି ନାହିଁ ସେ କଥା ସ୍ପଷ୍ଟ କରିନି। ତେବେ ବିଦ୍ୟାଙ୍କୁ ପୁଣି ଥରେ ଜେରା କରା ଯାଇପାରେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲା ତଦନ୍ତକାରୀ ଟିମ୍।
