ରାଜ୍ୟର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଆରମ୍ଭ ହେବ ଭିଡିଓ କନଫରେନ୍ସ ବ୍ୟବସ୍ଥା
ଭୁବନେଶ୍ୱର : ଚଳିତ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଆରମ୍ଭ ହେବ ଭିଡିଓ କନଫରେନ୍ସ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ଉପକ୍ରମ ଆଧାରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ହାତକୁ ନିଆଯାଇଛି। ଓକାକ୍ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ପରେ ଜିଲ୍ଲା ଓ ବିଭାଗର ମୁଖ୍ୟ ଦପ୍ତର ସମେତ ଅନ୍ୟ ବିଭାଗ ସହିତ ପଞ୍ଚାୟତ କାର୍ଯ୍ୟାଳୟ ଯୋଡ଼ିହେବ। ଏଥିସହ ପଞ୍ଚାୟତି ରାଜ ବିଭାଗ ଅଧୀନରେ ଥିବା ସମସ୍ତ ବିଭାଗର କାର୍ଯ୍ୟକ୍ରମକୁ ନେଇ ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ କହିଥିଲେ, ସାମ୍ପ୍ରତିକ ପରିସ୍ଥିତିରେ ଭିଡିଓ କନଫରେନ୍ସ ଏକ ଜରୁରୀ ବ୍ୟବସ୍ଥା। ପ୍ରଶାସନିକ କାର୍ଯ୍ୟକୁ ଏହା ବେଶ୍ ସରଳ ଏବଂ ପ୍ରଭାବୀ କରିପାରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି। ନିକଟରେ ଭାରତ ସରକାରଙ୍କ ଦୂର ସଞ୍ଚାର ବିଭାଗର ଅଧିକାରୀଙ୍କ ଠାରୁ ହସ୍ତଗତ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୫% ପଞ୍ଚାୟତରେ ବ୍ରଡ୍ବ୍ୟାଣ୍ଡ ସଂଯୋଗ ପହଞ୍ଚି ସାରିଛି। କିଛି କିଛି ସ୍ଥାନରେ ସଂଯୋଗ ମିଳି ନଥିଲେ ସୁଦ୍ଧା କେବୁଲ ପହଞ୍ଚି ସାରିଛି। ତେଣୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଆରମ୍ଭ କରିବାରେ ସମସ୍ୟା ନାହିଁ।
ଶ୍ରୀ ଲୋହାନି କହିଥିଲେ ଯେ, ଓକାକ୍ର ମୁଖ୍ୟ କାର୍ଯ୍ୟାଳୟରେ ଆମର ଡାଟା ସେଣ୍ଟର ରହିବ। ପଞ୍ଚାୟତିରାଜ ବିଭାଗର ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ଯୋଜନାର ବିପୁଳ ତଥ୍ୟ ରହିଛି। କେବଳ ଗ୍ରାମାଞ୍ଚଳ ବାସଗୃହ ଯୋଜନାରେ ପ୍ରାୟ ୧ ଲକ୍ଷ ପରିବାରର ତଥ୍ୟ ରହିଛି। ଏସବୁ ତଥ୍ୟର ଡିଜିଟାଇଜେସନ୍ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହା ଦ୍ୱାରା ଜନକଲ୍ୟାଣ ପ୍ରକଳ୍ପରେ ସ୍ୱଚ୍ଛତା ଆସିବା ସହିତ କାର୍ଯ୍ୟକ୍ରମ ତ୍ୱାରାନ୍ୱିତ ହୋଇପାରିବ। ଗ୍ରାମପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ ଓ କାର୍ଯ୍ୟଦକ୍ଷ କରିବାରେ ଏହି ପଦକ୍ଷେପ ବେଶ୍ ସହାୟକ ବୋଲି ଶ୍ରୀ ଲୋହାନି କହିଛନ୍ତି। ଏବେ ସୁଦ୍ଧା ବ୍ଲକ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସ ବ୍ୟବସ୍ଥା ସୀମିତ ଅଛି। ଆଗକୁ ଏହା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବ। ଫଳରେ ଲୋକସେବା ଭବନରୁ ପଞ୍ଚାୟତକୁ ସିଧାସଳଖ ଯୋଗାଯୋଗ କରି ବୈଠକ ଆୟୋଜନ କରାଯାଇ ପାରିବ।
