ବଳାତ୍କାର ମାମଲାରେ ରାୟ ପ୍ରକାଶ : ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ଦଣ୍ଡ ସହ ୧୧ହଜାର ଟଙ୍କା ଜୋରିମାନା
ବାଲେଶ୍ୱର : ବାଲେଶ୍ୱର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବଡ଼ ରାୟ । ୨୦୧୭ ମସିହାରେ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ ବିଚାର କରି
ବିଚାରପତି ରଞ୍ଜନ ସୂତାର ବୁଧବାର ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ସହ ୧୧ ହଜାର ଟଙ୍କା ଜରିମାନା ରାୟ ଶୁଣାଣି କରିଛନ୍ତି । ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ଏଥିସହିତ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ, ଗତ ୨୦୧୭ ଜୁଲାଇ ୩ ତାରିଖରେ ବସ୍ତା ଥାନା ଅଞ୍ଚଳର ଗୋଟିଏ ପରିବାରର ମା’, ବାପା ଓ ଭାଇ ନାବାଳିକା ଝିଅକୁ ଘରେ ଛାଡ଼ି ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ । ନାବାଳିକା ଜଣକ ଏକୁଟିଆ ଥିବାର ସୂଯୋଗ ନେଇ ରାତି ପ୍ରାୟ ୧୦ଟା ୩୦ମିନିଟ୍ ସମୟରେ ପଡ଼ୋଶୀ ଜଳଧର ସେଠୀ ଘରେ ପଶି ନାବାଳିକାର ମୁହଁରେ ଗାମୁଛା ବାନ୍ଧି ଅନିଚ୍ଛା ସତ୍ତ୍ୱେ ବଳାତ୍କାର କରିଥିଲେ । ଏଥିସହିତ ଘଟଣା ବିଷୟରେ ପ୍ରକାଶ କଲେ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ନାବାଳିକାର ପରିବାର ଲୋକେ ଘରେ ପହଞ୍ôଚ ଝିଅ କାନ୍ଦୁଥିବାର ଦେଖି ସମସ୍ତ ଘଟଣା ସମ୍ପର୍କରେ ଜାଣିଥିଲେ । ପରିବାର ଲୋକେ ଜଳଧରକୁ ପଚାରିବାରୁ ସେ ଅସ୍ୱୀକାର କରିବା ସହ ସମସ୍ତଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲା । ଏନେଇ ବସ୍ତା ଥାନାରେ ନାବାଳିକାର ମା’ ଲିଖିତ ଅଭିଯୋଗ କରିଥିଲେ । ବସ୍ତା ଥାନା ପକ୍ଷରୁ ଦଫା ୪୫୦ ।୩୭୬ ।୩୨୩ ।୩୨୫ ।୪୨୭ ।୩୫୪ ।୫୦୬ ।୩୪ ଆଇପିସି ।୪ ପୋକ୍ସୋ ଆକ୍ଟ ମୂଳେ ମାମଲା (ନଂ.୨୨୧ ।୧୭) ରୁଜୁ କରାଯାଇଥିଲା । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ବିଚାରଧୀନ ରହିଥିଲା । ବୁଧବାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଶ୍ରୀ ସୂତାର ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଆଇନଜୀବୀ ପ୍ରଣବ ପଣ୍ଡା ମାମଲା ପରିଚାଳନା କରିଥିଲେ ।
