ଉଦ୍ଯାପିତ ହେଲା ବଣପାରିଆ ସୁପର ଲିଗ୍ ସିଜନ-୩; ଏମ୍ଟି ଫାଇଟରସ ଚମ୍ପିୟାନ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ କୁରୁଡ଼ା ପଞ୍ଚାୟତର ବଣପାରିଆ ଗାଁରେ ଗତ ୧୩ ତାରିଖରୁ ଚାଲିଥିବା ବଣପାରିଆ ସୁପର ଲିଗ୍ ସିଜନ୍ -୩ ଉଦ୍ଯାପିତ ହୋଇଛି । ମା’ ତାରିଣୀ ବଣପାରିଆ କ୍ରିକେଟ ଟିମ ଆନୁକୁଲ୍ୟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୬ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଏମଟି ଫାଇଟରସ ଏବଂ ସାଇ ଶ୍ରଦ୍ଧା ଏକାଦଶ ଟିମ ମଧ୍ୟରେ ଉଦଯାପନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏମ୍ଟି ଫାଇଟରସ ଟସ୍ ଜିତି ପ୍ରଥମେ ଫିଲ୍ଡ଼ିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସାଇ ଶ୍ରଦ୍ଧା ଏକାଦଶ ଟିମ ନିର୍ଦ୍ଧାରିତ ୮ ଓଭରରେ ୫ ଓି୍ୱକେଟ୍ ବିନିମୟରେ ମୋଟ୍ ୮୧ ରନ କରିଥିଲା । ଅଜୟ ସ୍ୱାଇଁ ସର୍ବାଧିକ ୨୮ ରନ ସଂଗ୍ରହ କରିଥିଲେ । ଜବାବରେ ଏମ୍ଟି ଫାଇଟରସ ବ୍ୟାଟିଂ କରି ୭.୫ ଓଭରରେ ୮୭ ରନ୍ କରି ଚମ୍ପିୟାନ୍ ଘୋଷିତ ହୋଇଥିଲେ । ପ୍ରମୋଦ ଜେନା, ଅଲେଖ ସାହୁ ମ୍ୟାଚ୍ ପରିଚାଳନା କରିଥିଲେ । କିରଣ ସେନାପତି ସର୍ବାଧିକ ୩୦ ରନ୍ କରିଥିଲେ ।
ମ୍ୟାଚ୍ ପରେ ଉଦ୍ଯାପନୀ ସମାରୋହ ଓ ପୁରଷ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟଅତିଥି ଏବଂ ପୂର୍ବତନ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସମସ୍ତ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳରେ ହାରଜିତ୍କୁ ଗୁରୁତ୍ୱ ନ ଦେଇ ଖେଳୁଆଡ଼ ମନୋଭାବ ନେଇ ଖେଳିଲେ ଖେଳାଳିମାନଙ୍କୁ ସଫଳତା ମିଳିଥାଏ ବୋଲି କହିଥିଲେ । ଆରଏମ୍ସିର ସଭାପତି ସର୍ବେଶ୍ୱର ମହାନ୍ତି, ଅଲେଖ ସାହୁ, ପ୍ରଭଞ୍ଜନ ମଲ୍ଲିକ, ବରିଷ୍ଠ ଖେଳାଳୀ ସୋମନାଥ ମଲ୍ଲିକ, ଯୁବ ସମାଜସେବୀ ମୁନ୍ନା ମହନ୍ତ, ଭାଷ୍କର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଭଳି ଟୁର୍ଣ୍ଣାମେଣ୍ଟ ଦ୍ୱାରା ବିଶେଷ କରି ଗ୍ରାମାଞ୍ଚଳର ଖେଳାଳୀମାନଙ୍କର କ୍ରୀଡ଼ାର ପ୍ରତିଭା ବିକାଶରେ ସହାୟକ ହୋଇପାରିବ ବୋଲି କହିଥିଲେ । ଆର୍ଯ୍ୟ ପ୍ରକାଶ କାନୁନ୍ଗୋ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ଚମ୍ପିୟାନ ଏବଂ ରନର୍ସଅପ୍ ଟିମକୁ ସିଲ୍ଡ଼ ଓ ଟ୍ରଫି ପ୍ରଦାନ କରାଯାଇଥିଲା ।
