ଆଜିଠୁ ୧୨ରୁ ଊର୍ଦ୍ଧ୍ୱଙ୍କୁ ଟିକା, ବୃଦ୍ଧଙ୍କୁ ମିଳିବ ବୁଷ୍ଟର୍
ନୂଆଦିଲ୍ଲୀ : ଟଳିନି କୋରୋନା ସଙ୍କଟ। କୋରୋନା ମହାମାରୀ କବଳରୁ ଶିଶୁଙ୍କୁ ରକ୍ଷା କରିବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାରଠାରୁ ୧୨ରୁ ୧୪ ବର୍ଷୀୟ ପିଲା ଓ ୬୦ ବର୍ଷରୁ ଊଦ୍ଧ୍ୱ ବୟସ୍କଙ୍କୁ ବୁଷ୍ଟର୍ ଡୋଜ୍ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଦେଶରେ ଗତ ୩ ଜାନୁଆରୀ ୨୦୨୨ରୁ ପ୍ରଥମ ଥର ପାଇଁ ୧୮ ବର୍ଷରୁ କମ୍ ବୟସ ବର୍ଗର ପିଲାଙ୍କୁ କୋଭିଡ ଟିକା ଦିଆଯାଇଥିଲା। ଗୋଟିଏ ପଟେ ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଚୀନରେ ପୁଣିଥରେ କୋରୋନା ସଂକ୍ରମଣ ଘାତକ ରୂପ ନେଉଥିବାରୁ ସାରା ବିଶ୍ୱରେ ଆତଙ୍କ ବଢିଛି।
କୋରୋନା ଭାଇରସ ଫ୍ଲୁ ପରି ଏଣ୍ଡମିକ୍ ସ୍ତରରେ ପହଞ୍ଚିଛି। ମ୍ୟୁଟେସନ ଫଳରେ ଆଗକୁ କୋରୋନାର ଅନେକ ନୂଆ ଭାରିଏଣ୍ଟ ଆସିବା ଆଶଙ୍କା ମଧ୍ୟ ରହିଛି। ବୁଷ୍ଟର ଡୋଜ ନେବା ପରେ ମଧ୍ୟ କୈଣସି ବ୍ୟକ୍ତି କୋରୋନା କବଳରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ସମ୍ଭାବନା ନାହିଁ। ଅନ୍ୟପଟେ କୋରୋନାର ମ୍ୟୁଟେସନ ସହିତ ଭାରତରେ ପ୍ରତିବର୍ଷ ଟିକାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଯଦିଓ ଭାରତରେ ଏଭଳି ପରିସ୍ଥିତି ଆସିନାହିଁ ଯେ, ଏହାକୁ ନିୟମିତ ଟିକାକରଣରେ ସାମିଲ କରାଯିବ।
ଆଇସିଏମଆର୍, ଯୋଧପୁରସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଇମ୍ପ୍ଲିମେଣ୍ଟେସନ୍ ରିସର୍ଚ୍ଚ ଅନ୍ ନନ୍-କମ୍ୟୁନିକେସନ୍ ଡିଜିଜ୍ ନିର୍ଦ୍ଦେଶକ କରୁଣ ଶର୍ମାଙ୍କ କହିବା ଅନୁସାରେ, କୋରୋନା ଟିକା ଦୀର୍ଘକାଳୀନ ଭିତ୍ତିରେ ଶରୀରରେ ଆଣ୍ଟିବଡି ସୃଷ୍ଟି କରିବାରେ ଅକ୍ଷମ। ଟିକା ନେବା ପରେ ବି ଜୀବନଶୈଳୀରେ ପରିବର୍ତ୍ତନ, ସୁଷମ ଖାଦ୍ୟ ଗ୍ରହଣକୁ ଜରୁରୀ ବୋଲି ସେ କହିଛନ୍ତି। କାରଣ ବୁଷ୍ଟର୍ ଡୋଜ୍ ଦେବା ପରେ ବି ଇମ୍ୟୁନିଟି କେବଳ ୬ ମାସ କିମ୍ବା ଅତିବେଶୀରେ ୧ ବର୍ଷ ପାଇଁ ରହୁଛି।
ଭାରତରେ ଦୈନିକ କୋରୋନା ମାମଲା ହ୍ରାସ ପାଇବାରେ ଲାଗିଛି । କୋଭିଡ୍ ଭାଇରସର ନୂତନ ଭାରିଆଣ୍ଟ୍ ଓମିକ୍ରନ ମାମଲା କମିଥିବାରୁ ଆଶ୍ୱସ୍ତି ମିଳିଛି। ପ୍ରାଥମିକଭାବେ କୋରୋନା କବଳରୁ ରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ କୋଭିଡ ଟିକା ନେବାକୁ ଅପିଲ୍ କରୁଛନ୍ତି। କୋରୋନାର ଉଭୟ ଡୋଜ ବ୍ୟତୀତ, ଭାରତର ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ବୁଷ୍ଟର ଡୋଜ ମଧ୍ୟ ଦିଆଯାଉଛି। ୧୨ ବର୍ଷରୁ ଅଧିକ ପିଲାମାନଙ୍କୁ କୋରୋନା ଟିକା ଦେବା ପାଇଁ ଅନୁମୋଦନ କରାଯାଇଛି। ଏହାସହିତ ଛୋଟ ପିଲାମାନଙ୍କ ପାଇଁ ଟିକା ପରୀକ୍ଷଣ ଜାରି ରହିଛି। ଏବେ ଆମେରିକା, ବ୍ରିଟେନ ସମେତ କିଛି ଦେଶରେ ୧୨ ବର୍ଷରୁ କମ ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।
ଦେଶରେ ଦୈନିକ କୋରୋନା ଆକ୍ରାନ୍ତ ସଂଖ୍ୟା ୩୦୦୦ ତଳେ ରହିଛି। ଏହାସହ ମୋଟ ଆକ୍ରାନ୍ତ ସଂଖ୍ୟା ଚାରି କୋଟି ୩୦ ଲକ୍ଷକୁ ବୃଦ୍ଧି ପାଇଛି। ଏବେ ଦେଶରେ ଆରୋଗ୍ୟହାର ୯୮.୭୨ ପ୍ରତିଶତରେ ପହଞ୍ଚିଛି। ସକ୍ର୍ରିୟ ଆକ୍ରାନ୍ତ ହାର ୦.୦୮% ରହିଛି। ସେପଟେ କୋରୋନାର ଓମିକ୍ରନ୍ ଭାରିଆଣ୍ଟ ଚୀନରେ ଦ୍ରୁତ ଗତିରେ ବ୍ୟାପୁଛି। କୋରୋନାର ନୂଆ ଭାରିଏଣ୍ଟ ସଂକ୍ରମଣ ରୋକିବାକୁ ସାଙ୍ଘାଇ, ଟେକ୍ ହବ୍ ସେନଞ୍ଜେନ ସମେତ ଚୀନର ୧୦ଟି ସହରରେ ତାଲାବନ୍ଦ ହୋଇଛି। ଦେଶର ୧.୭୦ କୋଟି ଲୋକ ଘରେ ବନ୍ଦୀ ହେବାକୁ ବାଧ୍ୟ ହୋଇଛନ୍ତି । ସୋମବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫,୨୮୦ ନୂଆ ମାମଲା ପଞ୍ଜିକୃତ ହୋଇଛି । ସୋମବାର ଗୋଟିଏ ଦିନରେ ୩୦୦୦ରୁ ଅଧିକ ଡୋମେଷ୍ଟିକ ଟ୍ରାନ୍ସମିଶନ କେସ ନଜର ଆସିଛି ।
