କାନାଡ଼ାରେ ଟିକାକରଣକୁ ନେଇ ହଙ୍ଗାମା : ଗୁପ୍ତ ସ୍ଥାନରେ ଲୁଚିଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ
ନୂଆଦିଲ୍ଲୀ : କରୋନା ଟିକାକରଣ ବାଧ୍ୟତାମୂଳକ ବିରୁଦ୍ଧରେ କାନାଡାରେ ଜୋରଦାର ବିରୋଧ ପ୍ରଦର୍ଶନ । କାନାଡାର ରାଜଧାନୀ ଓଟାଭାରେ ହଜାର ହଜାର ପ୍ରଦର୍ଶନକାରୀ କରୋନା କଟକଣା ବିରୁଦ୍ଧରେ ବିକ୍ଷୋଭ କରୁଛନ୍ତି । ପ୍ରଦର୍ଶନକାରୀ କରୋନା କଟକଣାକୁ ପାଶୀବାଦ ସହ ତୁଳନା କରିଥିଲେ । ଏହାସହ କାନାଡାର ପତାକା ସହ ନାଜୀ ପତାକା ଧରି ରାସ୍ତାକୁ ଓହ୍ଲାଇଥିଲେ । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଟୋଙ୍କ ବିରୋଧରେ ଲୋକେ ଜୋରଦାର ନାରାବାଜି କରିଥିଲେ । ତେବେ ଖବର ଅନୁସାରେ, ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ପରିବାର ସରକାରୀ ବାସଭବନ ଛାଡି ଏକ ଗୁପ୍ତ ସ୍ଥାନକୁ ଚାଲିଯାଇଛନ୍ତି ।
୨୦ ହଜାରରୁ ଟ୍ରକ ଡ୍ରାଇଭର ଏବଂ ଅନ୍ୟ ପ୍ରଦର୍ଶନକାରୀ ରାଜଧାନୀରେ ଏକାଠି ହୋଇ ଟ୍ରୁଡୋଙ୍କ ବାସଭବନକୁ ଘେରିଥିଲେ । ୭୦ କିଲୋମିଟର ପର୍ଯ୍ୟନ୍ତ ଟ୍ରକ ଡ୍ରାଇଭରଙ୍କ ଯାତ୍ରାକୁ ଫ୍ରିଡମ କାନୱେ ନାଁ ଦିଆଯାଇଛି । ସୂଚନାଯୋଗ୍ୟ, କାନାଡା ସରକାର ଆମେରିକାର ସୀମ ପାଇଁ ପାଇଁ ଟ୍ରକ ଡ୍ରାଇଭର୍ ଭ୍ୟାକ୍ସିନେସନକୁ ବାଧ୍ୟତାମୂଳକ କରିଛନ୍ତି । ଏହାକୁ ଡ୍ରାଇଭରମାନେ ବିରୋଧ କରୁଛନ୍ତି । ଅନ୍ୟପଟେ କାନାଡାର ପ୍ରଧାନମନ୍ତ୍ରୀ ବିବାଦୀୟ ବୟାନ ଦେଇ ଟ୍ରକ ଡ୍ରାଇଭରମାନଙ୍କୁ ଗୁରୁତ୍ୱ ବହନ କରୁଥିବା ଅଳ୍ପସଂଖ୍ୟକ ବୋଲି କହିଥିଲେ । ଏହାସହ ଟ୍ରୁଡୋ କହିଥିଲେ, ଟ୍ରକ ଡ୍ରାଇଭର ବିଜ୍ଞାନର ବିରୋଧୀ । ସେମାନେ ନିଜ ସହ କାନାଡାର ଅନ୍ୟ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି ।
ଅନ୍ୟପଟେ ଟ୍ରକ ଚାଳକଙ୍କ ଉଗ୍ର ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ପରିବାରକୁ ଗୁପ୍ତ ସ୍ଥାନରେ ଲୁଚିବାକୁ ବାଧ୍ୟ କରିଛି । ପିଏମ ଟ୍ରୁଡୋ ଏବଂ ତାଙ୍କ ପରିବାର କେଉଁଠି ଅଛନ୍ତି ତାହା କାହାକୁ ଜଣାନାହିଁ । ପ୍ରଦର୍ଶନକାରୀଙ୍କ ମଧ୍ୟରେ ପିଲାଙ୍କ ଠାରୁ ଆରମ୍ଭ ଯୁବକ, ମହିଳା, ବୟସ୍କ ଏବଂ ଦିବ୍ୟାଙ୍ଗ ସାମିଲ ଅଛନ୍ତି । ପ୍ରଦର୍ଶକାରୀମାନେ ଦେଶରେ ପ୍ରମୁଖ ଯୁଦ୍ଧ ସ୍ମାରକୀ ନିକଟରେ ବି ପ୍ରଦର୍ଶନ କରିଥିଲେ । କାନାଡାର ସେନା ମୁଖ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଅନିତା ଆନନ୍ଦ ଏହାକୁ ନିନ୍ଦା କରିଛନ୍ତି । ହିଂସର ଆଶଙ୍କାରୁ ନଜରରେ ରଖି ପୋଲିସକୁ ହାଇଆଲର୍ଟରେ ରଖାଯାଇଛି ।
