ରାଜ୍ୟପାଳଙ୍କୁ ସାକ୍ଷାତ କରି ଇସ୍ତଫା ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ଦ୍ୱିତୀୟ ପାଳି ସରକାର ଗଠନ କରିବା ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ରାଜଭବନ ଠାରେ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ସାକ୍ଷାତ କରି ଇସ୍ତଫା ପ୍ରଦାନ କରିଛନ୍ତି। ଏହା ପରେ ସେ ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବା ଲାଗି ଦାବି ଉପସ୍ଥାପନ କରିବେ। ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କର ପ୍ରଥମ ପାଳି କାର୍ଯ୍ୟକାଳର ଶେଷ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ସେ।
ଗତ ୨୦୧୭ ପରେ ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ମୋଟ ୪୦୩ ସିଟ୍ ବିଶିଷ୍ଟ ଉତ୍ତର ପ୍ରଦେଶରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୨୦୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏଥର ବିଜେପି ଏକାକୀ ୨୫୫ ସିଟ୍ ହାତେଇଥିବା ବେଳେ ଏହାର ମେଣ୍ଟ ସହଯୋଗୀ ଅପନା ଦଳ ସୋନେଲାଲ ୧୨ ଏବଂ ନିଷାଦ ପାର୍ଟି ୬ ଆସନ ପାଇଛି। ବିଜେପି ନେତୃତ୍ୱାଧି ଏନଡିଏ ମେଣ୍ଟକୁ ସର୍ବମୋଟ ୨୭୩ ଆସନ ମିଳିଛି। ସରକାର ଗଠନ କରିବା ଲାଗି ଆବଶ୍ୟକ ବହୁମତ ସଂଖ୍ୟା ୨୦୩ ଠାରୁ ବିଜେପି ପାଖରେ କେବଳ ୫୨ ବିଧାୟକ ଅଧିକ ରହିଥିବା ବେଳେ ମେଣ୍ଟ ପାଖରେ ଅଛନ୍ତି ଅଧିକ ୭୦ ବିଧାୟକ। ଅନ୍ୟପଟେ ରାଜ୍ୟରେ ସରକାର ଗଠନ କରିବାକୁ ସ୍ୱପ୍ନ ଦେଖୁଥିବା ସମାଜବାଦୀ ପାର୍ଟି ଏଥର କ୍ଷମତାକୁ ଫେରିବାରେ ସଫଳ ହୋଇନାହିଁ। ଏଥର ସମାଜବାଦୀ ପାର୍ଟିକୁ ୧୧୧ ଆସନ ମିଳିଥିବା ବେଳେ ଏହାର ମେଣ୍ଟ ସହଯୋଗୀ ରାଷ୍ଟ୍ରୀୟ ଲୋକ ଦଳ ୮ ଏବଂ ସୁହଲଦେବ ଭାରତୀୟ ସମାଜ ପାର୍ଟି ୬ ଆସନ ପାଇଛି। ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ମେଣ୍ଟକୁ ସର୍ବମୋଟ ୧୨୫ ଆସନ ମିଳିଛି।
୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: କେଉଁ ଦଳ ପାଇଲେ କେତେ ଆସନ ବିଜେପି:୨୫୫, ସମାଜବାଦୀ ପାର୍ଟି:୧୧୧, ଅପନା ଦଳ ସୋନଲାଲ:୧୨, ରାଷ୍ଟ୍ରୀୟ ଲୋକ ଦଳ: ୮, ନିଷାଦ ପାର୍ଟି: ୬, ସୁହଲଦେବ ଭାରତୀୟ ସମାଜ ପାର୍ଟି:୬, କଂଗ୍ରେସ:୨, ଜନସତ୍ତା ଦଳ ଲୋକତାନ୍ତ୍ରିକ:୨, ବିଏସପି:୧। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଗତ ୩୭ ବର୍ଷର ରେକର୍ଡ ଭାଙ୍ଗିଛି ବିଜେପି। ଗତ ୧୯୮୫ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଆସିନଥିଲେ। ହେଲେ ଦୀର୍ଘ ଦିନ ଧରି ଚାଲିଥିବା ଏହି ପରମ୍ପରାରେ ଏଥର ଦେଖିବାକୁ ମିଳିଛି ବ୍ୟତିକ୍ରମ।
