ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ, ସମୂହ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ
ଭୁବନେଶ୍ୱର : ଉତ୍କଳ ଦିବସକୁ ଆଡ଼ମ୍ବରରେ ପାଳନ କରିବେ ରାଜ୍ୟ ସରକାର । ଏପ୍ରିଲ ୧ ତାରିଖରେ ପ୍ରତି ଜିଲାରେ ସଭା ସମିତି ଆୟୋଜନ କରାଯିବ । ଏହାର ଆୟୋଜନର ଦାୟିତ୍ୱ ଜିଲା ପରିଷଦ ସଭାପତି ମାନେ ନେବେ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିଦିନ ସନ୍ଧ୍ୟା ୬ଟାରେ ସମଗ୍ର ରାଜ୍ୟରେ ସମୂହ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ ।
ସୂଚନା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରର ୟୁନିଟ୍ -୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ଯୋଗ ଦେବେ । ସେଠାରେ ସନ୍ଧ୍ୟା ୬ଟାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ସହ ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପାଠ କରାଯିବ । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାମ ମଧ୍ୟ ପ୍ରସାର କରାଯିବ । ପ୍ରତି ଜିଲ୍ଲାରେ ଏହି ସଭାସମିତି ଆୟୋଜନ ହେବ । ଜିଲ୍ଲା ପରିଷଦ ସଭାପତିମାନେ ଏହି ଆୟୋଜନର ଦାୟିତ୍ୱ ନେବେ । ସନ୍ଧ୍ୟା ୬ଟାରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ସୂଚନାଯୋଗ୍ୟ, ୨୦୨୦ ମସିହାରେ କୋଭିଡ୍ ମହାମାରୀ ଚାଲିଥିବାବେଳେ କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ଓ ସେମାନଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟବ୍ୟାପୀ ‘ବନ୍ଦେ ଉତ୍କଳ ଜନନୀ’ର ସମୂହ ଗାନ ରାଜ୍ୟ ସରକାର ଆୟୋଜନ କରିଥିଲେ । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା ।
