ଋଷକୁ ‘ମୋଷ୍ଟ ଫେବୋର୍ଡ ନେସନ’ ମାନ୍ୟତାରୁ ବଞ୍ଚିତ କଲା ଆମେରିକା
ନ୍ୟୁୟର୍କ : ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ବିଶ୍ୱର ପ୍ରତିକ୍ରିୟା ଗମ୍ଭୀର ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ଯେ, ଜି୭ ରାଷ୍ଟ୍ର ଏବଂ ୟୁରୋପୀୟ ୟୁନିଅନ ସହିତ ଆମେରିକା, ଋଷକୁ ଏହାର ‘ମୋଷ୍ଟ ଫେବୋର୍ଡ ନେସନ’ ମାନ୍ୟତାରୁ ବଞ୍ଚିତ କରିଛି। ବାଇଡେନଙ୍କ ନିଷ୍ପତ୍ତି ପରେ, ତାଙ୍କୁ କଂଗ୍ରେସର ଅନୁମୋଦନ ମିଳିଛି। କେବଳ ଆମେରିକା ନୁହଁ, ଜର୍ମାନୀ, ଜାପାନ, ବ୍ରିଟେନ, କାନାଡା, ଫ୍ରାନ୍ସ ଓ ଇଟାଲି ମଧ୍ୟରେ ମିଳିତ ବିବୃତ୍ତିରେ ଏହା ସ୍ପଷ୍ଟ କରିଛନ୍ତି। ତେବେ ଏକ ‘ମୋଷ୍ଟ ଫେବୋର୍ଡ ନେସନ’ ହେବାର ଅର୍ଥ କ’ଣ ଏବଂ ଏପର୍ଯ୍ୟନ୍ତ କାହିଁକି ଋଷର ଏହି ମାନ୍ୟତା ଅଛି?
ବିଶ୍ୱ ବାଣିଜ୍ୟିକ ସଂଗଠନ (ଡବ୍ଲୁଟିଓ)ର ଜଣେ ସଦସ୍ୟ ଭାବରେ ଋଷକୁ ଏକ ‘ମୋଷ୍ଟ ଫେବୋର୍ଡ ନେସନ’ ଭାବରେ ବିବେଚନା କରାଯାଏ। ଯାହା ଏହାକୁ ଡବ୍ଲୁଟିଓର ସମସ୍ତ ବଜାରକୁ ସମାନ ସୁବିଧା ପ୍ରଦାନ କରିଥାଏ ଏବଂ ସମାନ ଶୁଳ୍କ ଗ୍ୟାରେଣ୍ଟି ଦେଇଥାଏ। କିନ୍ତୁ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ପ୍ରଥମରୁ ନିନ୍ଦା କରୁଥିବା ଆମେରିକା ପୁଣି ଥିରେ ଏକ ବଡ ପଦକ୍ଷେପ ନେଇଛି। ଋଷ ସହିତ ସାଧାରଣ ବାଣିଜ୍ୟିକ ସମ୍ପର୍କକୁ ସ୍ଥଗିତ ରଖିବାକୁ ବାଇଡେନ ଆହ୍ୱାନ କରିଛନ୍ତି। ଫଳରେ ଋଷରୁ ଆମେରିକା ହୀରା, ମଦ ଏବଂ ସାମୁଦ୍ରିକ ଖାଦ୍ୟ ପଦାର୍ଥ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ପୂର୍ବରୁ ଋଷର ତୈଳ ଓ ପ୍ରାକୃତିକ ଗ୍ୟାସ ଉପରେ ଆମେରିକା ଏହି ପ୍ରତିବନ୍ଧକ ଲଗାଇଛି।
‘ମୋଷ୍ଟ ଫେବୋର୍ଡ ନେସନ’ ଲେବଲ୍ ସ୍ଥାୟୀ ସାଧାରଣ ବାଣିଜ୍ୟ ସମ୍ପର୍କ ପାଇଁ ଏକ ରବର ଷ୍ଟାମ୍ପ ପରି। ଯଦି ଏହାର ଅପସାରଣକୁ ଅନୁମୋଦନ କରିବାକୁ କଂଗ୍ରେସ ଭୋଟ୍ ଦିଏ, ଋଷ ସହିତ ସାଧାରଣ ବାଣିଜ୍ୟ ପ୍ରଭାବଶାଳୀ ଭାବରେ ଶେଷ ହେବ ଏବଂ ଅଧିକ ଶୁଳ୍କ ପାଇଁ ବାଟ ଫିଟିବ। ବିଶ୍ୱ ବାଣିଜ୍ୟ ସଂଗଠନ ଅନୁଯାୟୀ ଏହାର ସଦସ୍ୟ ଦେଶଗୁଡ଼ିକ ସେମାନଙ୍କ ବାଣିଜ୍ୟ ଭାଗିଦାରୀକୁ ଭେଦଭାବ କରିପାରିବେ ନାହିଁ। ପୃଥକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କିମ୍ବା ବିକାଶଶୀଳ କାଉଣ୍ଟିଗୁଡିକ ପାଇଁ ସ୍ୱତନ୍ତ୍ର ବଜାର ପ୍ରବେଶକୁ ଅନ୍ତର୍ଭୁକ୍ତ କରି ଏହି ଧାରା କିଛି ବ୍ୟତିକ୍ରମ ପାଇଁ ଅନୁମତି ଦିଏ।
ଏହା ପ୍ରଥମ ଥର ହେବ ନାହିଁ ଯେ କୌଣସି ଦେଶ ନିଜର ‘ମୋଷ୍ଟ ଫେବୋର୍ଡ ନେସନ’ ମାନ୍ୟତା ହରାଇବ। ୨୦୧୯ ପୁଲୱାମା ଆକ୍ରମଣ ପରେ ଭାରତ, ପାକିସ୍ତାନର ଲେବଲ୍ ପ୍ରତ୍ୟାହାର କରିନେଇଛି। ଗତ ସପ୍ତାହରେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଆମେରିକାର ସାଂସଦମାନଙ୍କୁ ଋଷର ‘ମୋଷ୍ଟ ଫେବୋର୍ଡ ନେସନ’ ମାନ୍ୟତା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ଋଷର ତୈଳ ଏବଂ ଗ୍ୟାସ ଆମଦାନୀ ବନ୍ଦ କରିବାକୁ ମଧ୍ୟ ଜେଲେନସ୍କି ଅପିଲ କରିଥିଲେ।
