ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ସଂସଦ ଘେରାଉ କରିବେ ସଂଯୁକ୍ତ କିଷାନ ମୋର୍ଚ୍ଚା
ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଆନ୍ଦୋଳନ ହେବ ଆହୁରି ତୀବ୍ରତର। ମୌସୁମୀ ଅଧିବେଶନ ସମୟରେ ସଂସଦ ସାମ୍ନାରେ କେନ୍ଦ୍ରର ତିନି କୃଷି ଆଇନ ବିରୋଧରେ ପ୍ରତିଦିନ ୨୦୦ କୃଷକଙ୍କ ଏକ ସମୂହ ବିରୋଧ ପ୍ରଦର୍ଶନ କରିବେ। ରବିବାର ଏହାର ଘୋଷଣା କରିଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସକେଏମ)। ମୋର୍ଚ୍ଚା ବିରୋଧୀ ଦଳର ସାଂସଦଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଗୃହ ଭିତରେ ଏବଂ ବାହାରେ ସ୍ଵର ଉଠାନ୍ତୁ ନଚେତ୍ ଇସ୍ତଫା ଦିଅନ୍ତୁ। ଏହା ପୂର୍ବରୁ ଜୁଲାଇ ୮ରେ ପେଟ୍ରୋଲ-ଡିଜେଲ୍ ଓ ଏଲପିଜି ଗ୍ୟାସ୍ର ଦରବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହେବ। କୃଷି ଆଇନ ବିରୋଧରେ ୪୦ରୁ ଅଧିକ କୃଷକ ସଂଗଠନ, ସଂଯୁକ୍ତ କିଷାନ ମୋର୍ଚ୍ଚାର ବ୍ୟାନର ତଳେ ଗତ ବର୍ଷ ନଭେମ୍ବରଠୁ ଦିଲ୍ଲୀ ସୀମାରେ ଡେରା ପକାଇ ପ୍ରଦର୍ଶନ ଜାରି ରଖିଛନ୍ତି। ଏସକେଏମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୌସୁମି ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଗୃହ ଭିତରେ ଆଇନର ବିରୋଧ କରିବା ପାଇଁ ସମସ୍ତ ବିରୋଧୀ ସାଂସଦଙ୍କୁ ଚେତାବନୀ ପତ୍ର ଦିଆଯିବ।
କୃଷକ ନେତା ବଲବୀର ସିଂହ ରାଜେଓ୍ଵାଲ କହିଛନ୍ତି, ବିରୋଧୀ ସାଂସଦମାନଙ୍କୁ ଗୃହ ଭିତରେ ପ୍ରତି ଦିନ ଏହି ପ୍ରସଙ୍ଗ ଉଠାଇବାକୁ କହିବୁ। ଆମେ ବାହାରେ ଆମର ପ୍ରଦର୍ଶନ ଜାରି ରଖିବୁ। ଯେ ପର୍ଯ୍ୟନ୍ତ ସରକାର ଏହି ପ୍ରସଙ୍ଗର ସମାଧାନ କରି ନାହାନ୍ତି ସେ ପର୍ଯ୍ୟନ୍ତ ଅଧିବେଶନ ଚଳାଇବାକୁ ଦେବୁ ନାହିଁ। ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରେ ଆରମ୍ଭ ହେବାକୁ ଯାଉଛି। ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ନହୋଇଛି ଆମେ ସଂସଦ ବାହାରେ କ୍ରମାଗତ ବିରୋଧ ପ୍ରଦର୍ଶନ ଜାରି ରଖିବୁ। ପ୍ରତ୍ୟେକ କୃଷକ ସଂଗଠନର ୫ ଜଣ ବିରୋଧ ପ୍ରଦର୍ଶନରେ ସାମିଲ ହେବେ। ଏହା ପୂର୍ବରୁ ଜୁଲାଇ ୮ ତାରିଖରେ ପେଟ୍ରୋଲ, ଡିଜେଲ୍ ଓ ଏଲପିଜି ଗ୍ୟାସ୍ ଦାମ ବୃଦ୍ଧି ପ୍ରତିବାଦରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରାଯିବ।
