୧୬ରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ
ଭୁବନେଶ୍ୱର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଆପାତତଃ ସ୍ଥିର ହୋଇଛି। ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବ। ତେଣୁ ରେଳ ମନ୍ତ୍ରୀ ଓଡ଼ିଶା ଗସ୍ତରେ କିଛି ବଡ଼ ପ୍ରକଳ୍ପ ନେଇ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୧୬ରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବେ। ଏହାପରେ ପୁରୀ ଗସ୍ତରେ ଯିବେ। ସେଠାରୁ ସଂଧ୍ୟାରେ ଭୁବନେଶ୍ବର ଫେରିବା ପରେ ହୀରାଖଣ୍ଡ ଏକ୍ସପ୍ରେସ୍ରେ ରାୟଗଡ଼ା ଅଭିମୁଖେ ଯିବେ। ୧୭ ଓ ୧୮ ତାରିଖେର ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୧୮ତାରିଖ ରାତିରେ ବରଗଡ଼ରୁ ରାୟପୁର ଅଭିମୁଖେ ଯିବେ। ୧୯ତାରିଖରେ ରାୟପୁରରୁ ଦିଲ୍ଲୀ ଅଭିମୁଖେ ଯିବେ। ହେଲେ ରେଳ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥକୁ କୌଣସି ସୂଚନା ଦିଆଯାଇନି। ଏପରିକି ରେଳ ମନ୍ତ୍ରୀଙ୍କ ଗସ୍ତସୂଚୀରେ କିଛି ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଇଛି।
