ଦେଶରେ ଉପରମୁହାଁ କରୋନା ଗ୍ରାଫ୍ ! ଆଜି ସମସ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । ଏନେଇ ଆଲର୍ଟ ମୋଡକୁ ଆସିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ କୋଭିଡ୍ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆଜି ଅପରାହ୍ନରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବେ।
୧୯୫ ଦିନ ପରେ ଦେଶରେ ଗତ ଗୁରୁବାର ଦୈନିକ ସଂକ୍ରମଣ ୫ ହଜାର ଟପିଥିଲା । ଗତକାଲି ୫,୩୨୫ ନୂଆ ମାମଲା ଆସିଥିଲା। ଶେଷଥର ଗତ ବର୍ଷ ସେପ୍ଟେମ୍ବର ୨୩ରେ ୫,୩୮୩ ମାମଲା ରିପୋର୍ଟ ହୋଇଥିଲା ।
କେନ୍ଦ୍ର ରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ, ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର କୋଭିଡ-୧୯ ଉପରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିୟମିତ ମାର୍ଗଦର୍ଶିକା ଜାରି କରିଛି । ଆଜି କୋଭିଡ୍ ସ୍ଥିତି ନେଇ ଏହି ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ୍ ନେଇ ସମସ୍ତ ରାଜ୍ୟ ସହ ସମୀକ୍ଷା ବୈଠକ କରିସାରିଛନ୍ତି।
ଏପ୍ରିଲ ୪ରେ ଦେଶରେ ୩୦୩୮ ଏବଂ ଏପ୍ରିଲ ୫ରେ କରୋନାର ୪,୪୩୫ ନୂଆ ମାମଲା ଆସିଥିଲା। ଏକ୍ସବିବି.୧.୧୬ ଭାରିଆଣ୍ଟ ଯୋଗୁଁ ଦେଶରେ କୋଭିଡ୍ ସଂକ୍ରମଣ ବଢୁଥିବା କୁହାଯାଇଛି | ସଂକ୍ରମଣରେ ପ୍ରାୟ ୩୮.୨ ପ୍ରତିଶତ ଏକ୍ସବିବି.୧.୧୬ ଭାରିଆଣ୍ଟ ଚିହ୍ନଟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୫,୫୮୭କୁ ବୃଦ୍ଧି ପାଇଛି ।
