ରାଜ୍ୟବ୍ୟାପି ଟ୍ରକ୍ ଧର୍ମଘଟ ପାଇଁ ମହାସଂଘର ନିଷ୍ପତି
କଟକ : ଓଡିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘର କାର୍ଯ୍ୟକାରୀ କମିଟି ଆଜି ଅନୁଷ୍ଠିତ ହୋଇଯାଇଛି । ୧୫ ବର୍ଷରୁ ଊର୍ଦ୍ଧ୍ୱ ଗାଡିକୁ ରାସ୍ତାରୁ ହଟାଇବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବାରୁ ଓ ଟ୍ରକର ଭଡା ଧାର୍ଯ୍ୟ କରୁନଥିବାରୁ ଆଗାମୀ ଜାନୁଆରୀ ୧୧ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପି ଟ୍ରକ ଧର୍ମଘଟ କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ମହାସଂଘର ସାଧାରଣ ସଂପାଦକ ରବି ଶତପଥୀ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି । ଟ୍ରକ ମାଲିକମାନଙ୍କର ବିଭିନ୍ନ ସମସ୍ୟା ନେଇ ପୂର୍ବରୁ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପରିବହନ ସଚିବ ଓ ପରିବହନ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଏ ସଂକ୍ରାନ୍ତରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ମାତ୍ର ହଠାତ ପୁରୁଣା ଗାଡି ରାସ୍ତାରୁ ହଟାଇବା ପାଇଁ ସରକାର ନିଷ୍ପତି ନେବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ମହାସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ବିଭୁତି ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଏକମାସ ମଧ୍ୟରେ ରାଜ୍ୟ ସରକାର ଏ ବାବଦରେ ଆଲୋଚନା ନ କଲେ ଧର୍ମଘଟ କରିବାକୁ ନିଷ୍ପତି ନିଆଯାଇଛି । କୋଭିଡ ଯୋଗୁ ଟ୍ରକ ମାଲିକମାନଙ୍କର ଆର୍ôଥକ ସ୍ଥିତି ଦୋହଲି ଯାଇଥିବାରୁ ଏଥିପାଇଁ ୨ ବର୍ଷ ସମୟ ଦେବା, ଅନ୍ୟାନ୍ୟ ରାଜ୍ୟରେ ଲାଗୁ ନ ହେବା ପର୍ଯ୍ୟନ୍ତ ପୁରୁଣା ଗାଡି ହଟାଇବା ନିଷ୍ପତି ସ୍ଥଗିତ ରଖିବା ଓ ପୁରୁଣା ଗାଡିର ଦାମ ବାବଦକୁ ନୂଆ ଗାଡି ଦାମ୍ର ୨୦ ପ୍ରତିଶତ ଦାମ୍ ଦେବା, ନୂଆ ଗାଡି କିଣିଲେ ୨୫ ପ୍ରତିଶତ ରୋଡ୍ଟ୍ୟାକ୍ସ ୧୦ ବର୍ଷ ପର୍ଯ୍ୟନ୍ତ ଛାଡ କରିବାକୁ ଓ ନୂଆ ଗାଡି କିଣୁଥିବା ମାଲିକଙ୍କୁ କମ୍ପାନୀମାନେ ୧୦ ପ୍ରତିଶତ ରିଆତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା ସହିତ ପୁରୁଣା ଗାଡିଗୁଡିକୁ ଏକାଥରକେ ବନ୍ଦ ନ କରି ଏହା ପର୍ଯ୍ୟାୟ କ୍ରମେ ବନ୍ଦ କରିବାକୁ ଓ ୧୫ ବର୍ଷ ବଦଳରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ଗାଡିକୁ ଅକାମୀ କରିବାକୁ ନେଇ ଦାବି କରାଯାଇଥିଲା । ଏହି ବୈଠକରେ ସମ୍ମିଳନୀରେ ମହାସଂଘର ଉପଦେଷ୍ଟା ଶରତ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲ୍ଲିପ କୁମାର ପାଣି, ଉପସଭାପତି ଶିବ ପ୍ରସାଦ ମିଶ୍ର, ରାଜୀବ ଜେନା, ସୁମନ୍ତ ବିଶ୍ୱାଳ ଓ ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
