ରାଜ୍ୟରେ ଅସହ୍ୟ ହେଉଛି ଗ୍ରୀଷ୍ମର ଜ୍ୱାଳା, ଆହୁରି ୫ଦିନ ଯାଏଁ ପାଗରେ ହେବ ନାହିଁ ପରିବର୍ତ୍ତନ
ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ହେଉଛି ଗ୍ରୀଷ୍ମର ଜ୍ୱାଳା । ଛଟପଟ ହେଉଛନ୍ତି ଲୋକେ । ଦିନ ୧୦ଟା ପରେ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି । ସୋମବାର ଟ୍ୱିନସିଟି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ୨୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁଛି । ଆସନ୍ତା ୪-୫ ଦିନ ଯାଏଁ ତାତି କମିବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଏଥିସହ ଭୀଷଣ ଗରମ ଯୋଗୁ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ବାହାରିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ ଅନୁସାରେ ୨୧ ଅପରାହ୍ନ କିମ୍ବା ରାତିରେ କାଳବୈଶାଖି ବର୍ଷା ହେବ । ୨୨ରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖିଜନିତ ବର୍ଷା ସମ୍ଭାବନା ଅଛି । ୨୧ରେ ଉପକୂଳ ଓଡ଼ିଶାରେ ତାତି କମିବ । ୨୨ରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପାରଦ ଖସିବା ସମ୍ଭାବନା ରହିଛି । ୨୪ରୁ ପୁଣି ରାଜ୍ୟରେ ତାତି ବଢ଼ିବ ।
