ନାଟୋ ସଦସ୍ୟତା ପାଇଁ ଆବେଦନ କଲା ୟୁକ୍ରେନ
ୟୁକ୍ରେନ : ୟୁକ୍ରେନର ଅନେକ ଅଞ୍ଚଳକୁ ରୁଷ କବଜା କରିବା ପରେ ୟୁକ୍ରେନ ଆନୁଷ୍ଠାନିକ ଭାବେ ନାଟୋର ସଦସ୍ୟତା ପାଇଁ ଆବେଦନ କରିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଋଷ ଆନୁଷ୍ଠାନିକ ଭାବରେ ୟୁକ୍ରେନର ଚାରିଟି କ୍ଷେତ୍ରକୁ ମସ୍କୋ ଅକ୍ତିଆର କରିବା ପରେ କିଭ୍ ନାଟୋର ଫାଷ୍ଟ-ଟ୍ରାକ୍ ସଦସ୍ୟତା ପାଇଁ ଅନୁରୋଧ କରିଛି। ୟୁକ୍ରେନର ଏହି ପଦକ୍ଷେପ ଏଭଳି ସମୟରେ ନେଇଛି, ଯେତେବେଳେ ପୁଟିନ ୟୁକ୍ରେନର ଏକ ବଡ଼ ଅଞ୍ଚଳକୁ ରୁଷରେ ମିଶାଇବା ଚୁକ୍ତି ଉପରେ ହସ୍ତାକ୍ଷର କରିଛନ୍ତି । ଅନ୍ତରାଷ୍ଟ୍ରୀୟ ଆଇନକୁ ଅଣଦେଖା କରି ୟୁକ୍ରେନର ଚାରୋଟି ବଡ଼ ଅଞ୍ଚଳକୁ ରୁଷରେ ସାମିଲ କରିବା ପ୍ରକ୍ରିୟା ଆରମ୍ଭ କରିବା ସହ ସେଠାରେ ମସ୍କୋ ତାର ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି । ପୁଟିନଙ୍କ ଏହି ପଦକ୍ଷେପ ପରେ ୟୁକ୍ରେନ ଆନୁଷ୍ଠାନିକ ଭାବେ ନାଟୋର ସଦସ୍ୟତା ପାଇଁ ଆବେଦନ କରିଛି ।
ଅନ୍ୟପଟେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ଷମତାରେ ଅଛନ୍ତି ସେ ଋଷ ସହିତ ଆଲୋଚନା କରିବେ ନାହିଁ। ଆମେ ନୂତନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବୁ ବୋଲି ଜେଲେନସ୍କି କହିଛନ୍ତି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମସ୍କୋରେ ଏକ ସମାରୋହ ଆୟୋଜନ କରିବା ପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି । ଏକ ଭିଡିଓରେ ଦେଖିବାକୁ ମିଳିଛି କି ଜେଲେନସ୍କି ଏହି ନିଷ୍ପତ୍ତି ଘୋଷଣା କରୁଛନ୍ତି ଏବଂ ତା’ପରେ ତାଙ୍କ ପ୍ରଧାନମନ୍ତ୍ରୀ ଏବଂ ସଂସଦର ବାଚସ୍ପତିଙ୍କ ପାଖରେ ଥିବା ଏକ ଡକ୍ୟୁମେଣ୍ଟରେ ଦସ୍ତଖତ କରାଯାଉଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ତାଙ୍କ ଦେଶ ନାଟୋର ସଦସ୍ୟତା ହାସଲ କରିବା ପାଇଁ ତ୍ୱରିତ ଆବେଦନ ପ୍ରସ୍ତୁତ କରିଛି । ଜେଲେନସ୍କି କହିଛନ୍ତି, ‘ଆମେ ନାଟୋରେ ତୁରନ୍ତ ସାମିଲ ହେବା ପାଇଁ ୟୁକ୍ରେନର ଆବେଦନ ଉପରେ ହସ୍ତାକ୍ଷର କରିବା ନେଇ ନିର୍ଣ୍ଣାୟକ ପଦକ୍ଷେପ ନେଉଛୁ’। ତେବେ ତ୍ୱରିତ ଆବେଦନର ଅର୍ଥ କଣ ତାହା ସ୍ପଷ୍ଟ ହୋଇ ନାହିଁ । କାରଣ ନାଟୋରେ ସାମିଲ ହେବା ପାଇଁ ଏହାର ସବୁ ସଦସ୍ୟ ଦେଶର ସର୍ବସମ୍ମତି କ୍ରମେ ସମର୍ଥନର ଆବଶ୍ୟକତା ରହିଥାଏ।
ସୋସିଆଲ ମିଡିଆରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଜେଲେନସ୍କି ଏକଥା କହିଛନ୍ତି ଯେ ଆମେ ସଂଗଠନ ସହିତ ଆମର ସୁସଙ୍ଗତତା ପ୍ରମାଣ କରିସାରିଛୁ। ଏବେ ନାଟୋ ସହିତ ତ୍ୱରିତ ମିଶ୍ରଣ ପାଇଁ ଦସ୍ତଖତ କରି ଆବେଦନ କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଉଛୁ।
ତେବେ ଚଳିତ ବର୍ଷ ଜୁନ ମାସରେ ତିନୋଟି ଦେଶ ଅନୁଷ୍ଠାନିକ ଭାବେ ନାଟୋରେ ସାମିଲ ହେବା ନେଇ ନିଜ ଇଚ୍ଛା ପ୍ରକାଶ କରିସାରିଥିଲେ । ୟୁକ୍ରେନ ଏବେ ଆନୁଷ୍ଠାନିକ ଭାବେ ଆବେଦନ କରିଛି । ଜୁଲାଇ ମାସରେ ଫିନଲ୍ୟାଣ୍ଡ ଏବଂ ସ୍ୱୀଡେନ ନାଟୋରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏବେ ଦୁଇ ଦେଶଙ୍କ ପାଇଁ ସମର୍ଥନ ପ୍ରକ୍ରିୟା ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ନାଟୋ ୩୦ ପାଶ୍ଚାତ୍ୟ ଦେଶର ଏକ ମିଳିତ ସୈନ୍ୟ ସଂଗଠନ । ଏଥିରେ ସାମିଲ ପ୍ରମୁଖ ଦେଶ ମଧ୍ୟରେ ରହିଛନ୍ତି ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ । ନାଟୋର ମୁଖ୍ୟ ଲକ୍ଷ୍ୟ ରହିଛି ସୁରକ୍ଷା ନୀତି ଉପରେ କାମ କରିବା । ଯଦି କୌଣସି ନାଟୋ ଦେଶ ଉପରେ ଅନ୍ୟ ଦେଶ ଆକ୍ରମଣ କରନ୍ତି ତେବେ ନାଟୋରେ ସାମିଲ ସବୁ ଦେଶ ସଦସ୍ୟ ରାଷ୍ଟ୍ର ସମର୍ଥନରେ ବାହାରିଥାନ୍ତି । ଏପରିସ୍ଥିତିରେ ଯଦି ୟୁକ୍ରେନକୁ ନାଟୋର ସଦସ୍ୟତା ମିଳେ ତେବେ ରୁଷର ମୁକାବିଲା କେବଳ ୟୁକ୍ରେନ ନୁହେଁ ସାରା ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହ ହେବ । ଯାହାକି ରୁଷ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ ।
