ଆଜିଠୁ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପାଠପଢ଼ା
ଭୁବନେଶ୍ୱର : ଆଜିଠୁ ୟୁଜି ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢ଼ିବେ । କୋଭିଡ୍ କଟକଣା ମାନି ଶ୍ରେଣୀଗୃହ ପାଠପଢ଼ା ହେବ। କରୋନା ସଂକ୍ରମଣ ଲାଗି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବା ପରେ ପୂର୍ବ ଭଳି ବିଦ୍ୟାଳୟ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ଆରମ୍ଭ ହୋଇଛି । ଏହିକ୍ରମରେ ନଭେମ୍ବର ମାସରୁ ୟୁଜି ଓ ପିଜିର ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ନଭେମ୍ବର ୧ରୁ ୟୁଜି ପ୍ରଥମ ବର୍ଷ ଓ ୧୫ ରୁ ପିଜି ପ୍ରଥମ ବର୍ଷ ପାଇଁ ଅଫଲାଇନ୍ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ସଚିବ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି।
ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ପକ୍ଷରୁ ଦିଆଯାଇଥିବା ଚିଠିରେ ଶ୍ରେଣୀଗୃହରେ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେମାନେ ନିୟମିତ ବ୍ୟବଧାନରେ ହାତ ସଫା କରିବେ। ଶ୍ରେଣୀ ଗୃହ, ପାଠାଗାର ତଥା ଲାବୋରଟୋରୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ। କେହି କଲେଜ ବା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ବାହାରେ ଏଣେତେଣେ ଛେପ ପକାଇ ପାରିବେ ନାହିଁ। କାଶିବା ବା ଛିଙ୍କିବା ବେଳେ ରୁମାଲ ଆଦି ବ୍ୟବହାର କରିବାକୁ କୁହାଯାଇଛି। ତା’ସହିତ ଛାତ୍ରଛାତ୍ରୀମାନେ ନିଜ ସ୍ୱାସ୍ଥ୍ୟ ବିଷୟରେ ଯେପରି ସଚେତନ ରହିବେ, ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିପରି ଜରୁରୀ ସ୍ଥିତି ପାଇଁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏକ ନିର୍ଦ୍ଦିଷ୍ଟ କଠୋରୀକୁ ପ୍ରସ୍ତୁତ ରଖିବାକୁ ଉଚ୍ଚଶିକ୍ଷା ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ କରିବା ସହିତ ହଷ୍ଟେଲ ଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ହଷ୍ଟେଲ୍ରେ ନାଁ ଲେଖାଇଛନ୍ତି, ସେମାନେ ସେଠାରେ ରହିପାରିବେ। ହଷ୍ଟେଲ୍ରେ ମଧ୍ୟ ସମସ୍ତ କୋଭିଡ୍ କଟକଣା ଯେମିତି ପାଳନ ହୁଏ, ତାହା ସୁନିଶ୍ଚିତ କରିବାକୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
