ପରଲୋକରେ ୟୁଏଇ ରାଷ୍ଟ୍ରପତି, ୪୦ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା
ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହିନଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଶେଖ୍ ଖୋଲିବା ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ। ୟୁଏଇର ସରକାରୀ ଗଣମାଧ୍ୟମ ଡବ୍ଲୁଏଏମ୍ ଶୁକ୍ରବାର ଏହି ସୂଚନା ଦେଇଛି । ରାଷ୍ଟ୍ରପତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଶେଖ ଖଲିଫାଙ୍କ ଦେହାନ୍ତ ସମ୍ପର୍କରେ ନିଶ୍ଚିତ କରାଯାଇଛି। ରାଷ୍ଟ୍ରପତିଙ୍କ ବିୟୋଗରେ ଦେଶରେ ୪୦ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ରାଷ୍ଟ୍ରପତିଙ୍କ ବିୟୋଗ ପରେ ଦୁବାଇ ସମ୍ବିଧାନ ଅନୁସାରେ, ଉପରାଷ୍ଟ୍ରପତି ତଥା ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ ରଶିଦ ଅଲ୍ ମଖତୁମ କାମଚଳା ରାଷ୍ଟ୍ରପତି ହେବେ। ନିୟମ ଅନୁସାରେ ୩୦ ଭିତରେ ନୂଆ ରାଷ୍ଟ୍ରପତି ନିର୍ବାଚନ କରାଯିବ।
ଶେଖ ଖଲିଫା ୨୦୧୯ରେ ଚତୁର୍ଥ ଥର ପାଇଁ ୟୁଏଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୟୁଏଇର ସୁପ୍ରିମ କାଉନସିଲ ତାଙ୍କୁ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିଲା। ସେ ୧୮ ବର୍ଷ ଧରି ଦେଶର ଶାସନ ଭାର ସମ୍ଭାଳୁଥିଲେ । ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଭାବେ ଶେଖ ଖଲିଫା ୩ ନଭେମ୍ବର ୨୦୦୪ ରୁ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଭାବରେ ଶେଖ ଖଲିଫା ମନୋନୀତ ହୋଇଥିଲେ।
