ଭାଲୁ ମୁହଁରୁ ଅଳ୍ପକେ ବଞ୍ଚିଲା ଜୀବନ, ୪ଲକ୍ଷ ଟଙ୍କା ଫେରାଇ ମହନୀୟତା ଦେଖାଇଲେ ଦୁଇ ଯୁବକ
ନୀଳଗିରି : କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ବାସ୍ତବରେ ଈଶ୍ୱର ଯାହାକୁ ଜୀବନ ଦେଇଛନ୍ତି, ତାକୁ ମୃତ୍ୟୁ ଦେବା ମଧ୍ୟ ତାଙ୍କରି ଆୟତ୍ତରେ ଅଛି । ଜନ୍ମ ଆଉ ମୃତ୍ୟୁ ସବୁ ଇଶ୍ୱରଙ୍କ ସେହି ଅଦେଖା ପୁସ୍ତକରେ ଲିପିବଦ୍ଧ ହୋଇ ରହିଛି । ଏହିଭଳି ଏକ ବିଷୟ ଦେଖିବାକୁ ମିଳିଛି ନୀଳଗିରି ଅଞ୍ଚଳରେ ।
ସୂଚନା ଯେ, ମାଣତ୍ରି ଗ୍ରାମର ଛୁଟା ଓରଫ ରଞ୍ଜନ କୁମାର ବେହେରା ନୀଳଗିରି ବଜାରରୁ ପରିବା କିଣି ନିଜ ଘରକୁ ବାଇକ୍ରେ ଯାଉଥିଲା ବେଳେ ପରିବା ବ୍ୟାଗରେ ୪ଲକ୍ଷ ଟଙ୍କା ମଧ୍ୟ ରଖିଥିଲେ । ଯିବା ରାସ୍ତାର ନୀଳଗିରି ମିତ୍ରପୁର କଣ୍ଟାବଣିଆ ଛକ ନିକଟରେ ହଠାତ୍ ଏକ ଭାଲୁ ବାହାରି ଆସିବାରୁ ବାଇକ୍ଟି ଭାଲୁକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ୍ଟି ପଡ଼ିଯାଇଥିଲା । ବାଇକ୍ରେ ଥିବା ପରିବା ଥଳିଟି ମଧ୍ୟ ପଡ଼ିଯାଇଥିଲା । ଭାଲୁଟି ଯୁବକ ଜଣକୁ ଆକ୍ରମଣ କରିବା ସମୟରେ ସେ ଚିତ୍କାର କରିବାରୁ ଭାଲୁଟି ଘଟଣାସ୍ଥଳରୁ ଛାଡ଼ି ପଳାଇ ଯାଇଥିଲା । ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ବେଳେ ଉକ୍ତ ସମୟରେ ମିତ୍ରପୁର ପଟୁ ନୀଳଗିରି ପୋଲିସ ଗାଡ଼ି ଆସୁଥିବା ବେଳେ ପୋଲିସ ଗାଡ଼ିରେ ମେଡ଼ିକାଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା । ମାତ୍ର ଗୁରୁତ୍ୱପୂର୍ଣ୍ଣ ବିଷୟ ପରିବା ଥାଳିରେ ୪ଲକ୍ଷରୁ ଅଧିକ ଟଙ୍କା ରହିଥିଲା । ପରେ ଦୁର୍ଘଟଣା ସ୍ଥଳରୁ ଗୋପୀନାଥପୁର ଅଞ୍ଚଳର ଅଶୋକ ସିଂ ଓ ଦେବରାଜ ନାୟକ ପରିବା ବ୍ୟାଗ୍ରେ ଥିବା ଟଙ୍କାକୁ ଧରି ନୀଳଗିରି ପୋଲିସ ପାଖରେ ଜିମା ଦେଇ ନିଜର ସାଧୁତା ଦେଖାଇଛନ୍ତି । ଏଥିପାଇଁ ନୀଳଗିରି ଥାନା ଅଧିକାରୀ ଗୋପାଳ କର୍ଣ୍ଣ ଦୁଇ ଯୁବକଙ୍କୁ ସାଧୁବାଦ ଜଣାଇଛନ୍ତି । ଥାନାରୁ ରଞ୍ଜନ କୁମାର ବେହେରା ସମସ୍ତ ପ୍ରମାଣ ଦେଖାଇ ନିଜର ସମସ୍ତ ଟଙ୍କା ନେଇଛନ୍ତି । ଜୀବନ ବି ବଞ୍ଚିଲା, ଟଙ୍କା ବି ଫେରିପାଇଲା ।
