ଆନ୍ତଃଜିଲା ଦୁଇ ଲୁଟେରା ଗିରଫ, ୧ଲକ୍ଷ ୮୮ହଜାର ଟଙ୍କା ଜବତ
ବାଲେଶ୍ୱର : ଦୁଇ ଆନ୍ତଃଜିଲା ଲୁଟେରା ଗିରଫ । ସେମାନଙ୍କ ନିକଟରୁ ୧ଲକ୍ଷ ୮୮ହଜାର ଟଙ୍କା, ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ୍ ଜବତ କରାଯାଇଛି । ଉଭୟ ଲୁଟେରା ଗଞ୍ଜାମ ଜିଲାର । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଭଳି ଜିଲାମାନଙ୍କରେ ଚଳାଇଥିଲେ ଲୁଟ୍ ତରାଜ । ବିଭିନ୍ନ ସମୟରେ ବ୍ୟାଙ୍କ, ଏଟିଏମ୍ରୁ ଟଙ୍କା ଉଠାଇ ଯାଉଥିବା ଲୋକଙ୍କୁ ଟାର୍ଗେଟ୍ କରି ସେମାନଙ୍କ ଠାରୁ ଲୁଟି ଫେରାର ହୋଇଯାଉଥିଲେ । ମାତ୍ର ଏବେ ପୋଲିସ କବ୍ଜାରେ । ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନା ପରିସରରେ ରବିବାର ସନ୍ଧ୍ୟାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗିରଫ ଦୁଇ ଆନ୍ତଃଜିଲା ଲୁଟେରାଙ୍କ ସମ୍ପର୍କରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ଗତ ୧୬ ତାରିଖରେ ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମର ଦେବେନ୍ଦ୍ର ନାଥ ଜେନା (୫୯)ଙ୍କ ବାଲେଶ୍ୱର ୟୁକୋ ବ୍ୟାଙ୍କ ଏଟିଏମ୍ରୁ ଅପରାହ୍ନ ୩ଟା ସମୟରେ ଟଙ୍କା ଉଠାଇ ଯାଉଥିବା ବେଳେ ଫାଣ୍ଡି ଛକ ସ୍ଥିତ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା (ଡିଆର୍ଡିଏ) ଅଫିସ୍ ନିକଟରୁ ୧୦ହଜାର ଟଙ୍କା ଲୁଟ୍ କରି ନେଇଥିଲେ । ତାଙ୍କର ଅଭିଯୋଗ ମଳେ ସହଦେବଖୁଣ୍ଟା ମଡ଼େଲ ଥାନା ମାମଲା (ନଂ.୫୨ ।୨୩) ରୁଜୁ କରାଯାଇଥିଲା । ପରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରି ଲୁଟେରାମାନଙ୍କୁ ଠାବ କରିଥିଲା । ଉକ୍ତ ଲୁଟେରା ଦ୍ୱୟ ୧୯ ବର୍ଷୀୟ ଯୁବକଙ୍କ ଘର ଗଞ୍ଜାମ ଜିଲା ପାକଲାପଲି ଗ୍ରାମ ଓ ୨୦ ବର୍ଷୀୟ ଯୁବକ ଜଣକ ଗଞ୍ଜାମ ଜିଲା କଳାସନ୍ଧରପୁର ଗ୍ରାମ । ଲୁଟେରା ଦ୍ୱୟ ପୂର୍ବରୁ ଗତ ୧୩ ତାରିଖ ଅପରାହ୍ନ ୪ଟା ୪୫ମିନିଟ୍ ସମୟରେ ବାଲେଶ୍ୱର ଏସ୍ବିଆଇ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୪୮ହଜାର ଟଙ୍କା ଲୁଟ୍ କରିଥିଲେ । ଏନେଇ ବାଲେଶ୍ୱର ସଦର ଥାନା ମାମଲା (ନଂ. ୪୧ ।୨୩) ରୁଜୁ ହୋଇଥିଲା । ସେହିପରି ୧୪ ତାରିଖ ଅପରାହ୍ନ ୪ଟା ସମୟରେ ବାଲେଶ୍ୱର ସହର ରାମେଶ୍ୱର ମନ୍ଦିର ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୫୦ହଜାର ଟଙ୍କା ଲୁଟ୍ କରିଥିବା ବେଳେ ସହଦେବଖୁଣ୍ଟା ଥାନା ମାମଲା (ନଂ. ୪୯ ।୨୩) ଏବଂ ୧୭ ତାରିଖ ଅପରାହ୍ନ ୪ଟା ସମୟରେ ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ ମାର୍କେଟ୍ରୁ ଜଣେ ବ୍ୟକ୍ତିଙ୍କ ଠାରୁ ୮୦ହଜାର ଟଙ୍କା ଲୁଟ୍ କରିଥିବା ବେଳେ ବାଲିଆପାଳ ଥାନା ମାମଲା (ନଂ. ୫୫ ।୨୩) ରୁଜୁ ହୋଇଥିବାର ଏସ୍ପି ସୂଚନା ଦେଇଥିଲେ । ଲୁଟେରା ଦ୍ୱୟଙ୍କ ନାମରେ ସହଦେବଖୁଣ୍ଟା, ସଦର ଥାନା, ବାଲିଆପାଳ ଥାନା, ନୀଳଗିରି ଥାନା, ଜଳେଶ୍ୱର ଥାନା, ଭଦ୍ରକ ଟାଉନ୍ ଥାନା, ବାସୁଦେବପୁର ଥାନାରେ ବହୁ ମାମଲା ଥିବାର ଜଣାପଡ଼ିଛି । ଖବରଦାତା ସମ୍ମିଳନୀରେ ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।
