ହାମିଦ କାର୍ଜାଇ ବିମାନ ବନ୍ଦରରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ
କାବୁଲ : କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆବେ ଗେଟ୍ ନିକଟରେ ଗୁରୁବାର ସନ୍ଧ୍ୟାରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିସ୍ଫୋରଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ବିସ୍ଫୋରଣ ସମ୍ପର୍କରେ ପେଣ୍ଟାଗନ ମୁଖପାତ୍ର ଜନ କର୍ବି ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ମୃତାହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ ଓ ଆଗକୁ ଏ ସମ୍ପର୍କରେ ଅଧିକ ତଥ୍ୟ ଆସିଲେ ଦିଆଯିବ ।
ସୂଚନା ଯେ, ବିସ୍ଫୋରଣକୁ ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି କୁହାଯାଉଛି । ଏହି ଘଟଣାରେ ୩ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ହଜାର ହଜାର ଆଫଗାନ ଲୋକ ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଛନ୍ତି । ଫଳରେ କାବୁଲ ବିମାନବନ୍ଦରରେ ଏବେ ପ୍ରବଳ ଗହଳି ରହିଛି । ଏ ପରିସ୍ଥିତିରେ ଆଜି ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । କିଛି ଦିନ ତଳେ ଆମେରିକାର ଗୁଇନ୍ଦା ସଂସ୍ଥା କାବୁଲ ବିମାନବନ୍ଦରରେ ବିସ୍ଫୋରଣ ହୋଇପାରେ ବୋଲି ସତର୍କତା ଜାରି କରିଥିଲା ।
