ଭୋଟ ପୂର୍ବରୁ ଗୁଜରାଟରେ ରକ୍ତପାତ, ସାଥୀର ଗୁଳିମାଡରେ ୨ ସିଏପିଏଫ ଯବାନ ମୃତ
ଗାନ୍ଧିନଗର : ଭୋଟ ପୂର୍ବରୁ ଗୁଜରାଟରେ ରକ୍ତପାତ ହୋଇଛି। ସାଥୀର ଗୁଳିମାଡରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ଦୁଇ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଶନିବାର ସନ୍ଧ୍ୟାରେ ତୁକଡା ଗୋସାସ୍ଥିତ ରିଲିଫ କ୍ୟାମ୍ପରେ ଗୁଳିକାଣ୍ଡ ହୋଇଥିବା ପୋରବନ୍ଦର ଜିଲ୍ଲାପାଳ ଏଏମ ଶର୍ମା ସ୍ପଷ୍ଟ କରିଛନ୍ତି।
ପୋରବନ୍ଦର ଜିଲ୍ଲାପାଳ ଏଏମ ଶର୍ମାଙ୍କ କହିବାନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୭ଟାବେଳେ ତୁକଡା ଗୋସାସ୍ଥିତ ବାତ୍ୟା ରିଲିଫ କ୍ୟାମ୍ପରେ ଗୁଳିକାଣ୍ଡ ହୋଇଥିଲା। ଜଣେ ଯବାନଙ୍କ ଗୁଳିରେ ତାଙ୍କ ଦୁଇ ଜଣ ସାଥୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଗୁରୁତରଙ୍କୁ ବାଭସିଂହଜୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଆହତ ଯବାନ ସୁରକ୍ଷିତ ଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ଶର୍ମା ସୂଚନା ଦେଇଛନ୍ତି। ସେ ନିଜେ ମଧ୍ୟ ଦୁର୍ଘଟଣାସ୍ଥଳ ଓ ହସ୍ପିଟାଲ ପରିଦର୍ଶନ କରିଛନ୍ତି।
ଡିସେମ୍ବର ପହିଲା ଓ ୫ ତାରିଖରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାଜ୍ୟରେ ବିପୁଳ ସଂଖ୍ୟକ କେନ୍ଦ୍ରୀୟ ବଳ ମୁତୟନ କରାଯାଇଛି। ପୋରବନ୍ଦରରେ ମୁତୟନ ହେବାକୁ ଥିବା ସୁରକ୍ଷା କର୍ମୀଙ୍କୁ ତୁକଡା ଗୋସାସ୍ଥିତ ବାତ୍ୟା ରିଲିଫ କ୍ୟାମ୍ପରେ ରହିବାକୁ ସ୍ଥାନ ଦିଆଯାଇଛି। କିନ୍ତୁ ଶନିବାର ସନ୍ଧ୍ୟାରେ କୌଣସି କଥାକୁ ନେଇ ସେଠାରେ ଜଣେ ଯବାନ ତାଙ୍କ ଏକେ-୪୭ରୁ ଆଖିବୁଜା ଗୁଳିମାଡ କରିଥିଲେ। ଏହି ଯବାନମାନେ ମଣିପୁରର ଇଣ୍ଡିଆ ରିଜର୍ଭ ବାଟାଲିଓନରୁ ଡେପୁଟେସନରେ ଗୁଜରାଟ ଆସିଛନ୍ତି।
ପୋରବନ୍ଦରର ଜିଲା ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂରରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ କରିଥିବା ଯବାନ କନେଷ୍ଟବଳ ଏସ ଉନାଉଚାସିଂହ ବୋଲି ଚିହ୍ନଟ କରାଯାଇଛି। ଉନାଉଚାସିଂହଙ୍କ ଗୁଳିରେ ଥୋଇବା ସିଂହ ଓ ଜେତେନ୍ଦ୍ର ସିଂହଙ୍କ ମୃତ୍ୟୁ ହୋଇଛି। କନେଷ୍ଟବଳ ଚୋରାଜିତ ଓ ରୋହିକାନା ଆହତ ହୋଇଛନ୍ତି। ସମସ୍ତ ପୀଡିତ ଓ ଅଭିଯୁକ୍ତ ଯବାନ, ମଣିପୁର ବାସିନ୍ଦା ବୋଲି ଜଣାପଡିଛି। ଚୋରାଜିତ ଓ ରୋହିକାନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେମାନଙ୍କୁ ଜାମନଗର ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଯବାନକୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।
