ବ୍ଲୁ ଟିକ୍ ହଟାଇଲା ଟ୍ବିଟର, ଏଣିକି ୟୁଜର୍ସଙ୍କୁ ପ୍ରତିମାସରେ ଦେବାକୁ ହେବ ଏକ ନିର୍ଦ୍ଧାରିତ ରାଶି
ନୂଆଦିଲ୍ଲୀ : ବ୍ଲୁ ଟିକ୍ ହଟାଇଲା ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର। ପୂର୍ବ ଘୋଷଣା ଅନୁଯାୟୀ ଟ୍ବିଟର ଏହାର ଟ୍ବିଟର ଆକାଉଣ୍ଟରୁ ଫ୍ରି ବ୍ଲୁ ଟିକ୍ ହଟାଇଛି । ଯେଉଁମାନେ ଟ୍ବିଟର ବ୍ଲୁ ପ୍ଲାନ୍ ନେଇ ନାହାନ୍ତି ତାଙ୍କର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଛି । ଏଥିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି, କ୍ରିକେଟର ରୋହିତ ଶର୍ମା, ଅଭିନେତା ଶାହରୁଖ ଖାନ୍, ଅକ୍ଷୟ କୁମାର, ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟି ସାମିଲ ଅଛନ୍ତି।କମ୍ପାନୀର ମାଲିକ ଏଲନ ମସ୍କ ଏହାର ଘୋଷଣା କରିଥିଲେ ଯେ ୨୦ ଏପ୍ରିଲ୍ ପରଠାରୁ ଏଭଳି ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଯିବ। ଏଥିସହ ବ୍ଲୁ ଟିକ୍ ପାଇଁ ମାସିକ୍ ପ୍ଲାନ୍ ଦେବାକୁ ହେବ ବୋଲି କହିଥିଲେ। ଟ୍ବିଟର ବ୍ଲୁ ସବସ୍କ୍ରିପ୍ସନ ଅନୁଯାୟୀ, ବ୍ଲୁ ଟିକ୍ ପାଇଁ ୟୁଜର୍ସଙ୍କୁ ପ୍ରତିମାସରେ ଏକ ନିର୍ଦ୍ଧାରିତ ରାଶି ଦେବାକୁ ହେବ। ଟ୍ବିଟର ବ୍ଲୁର ଭାରତରେ ମୋବାଇଲ ପାଇଁ ପ୍ରତିମାସରେ ୯୦୦ ଟଙ୍କା ଏବଂ ଓ୍ବେବ ପାଇଁ ୬୫୦ ଟଙ୍କା ରହିଛି।
ସୂଚନା ଯେ, ଟ୍ବିଟରରେ ବ୍ଲୁ ଟିକର ଉଦ୍ଦେଶ୍ୟ ଥିଲା ଯେ, ଉପଭୋକ୍ତାମାନଙ୍କୁ ଚିହ୍ନିବାରେ ସାହାଯ୍ୟ କରିବା। ଯେପରି ଯେଉଁମାନେ ସେଲିବ୍ରିଟି, ରାଜନେତା, କମ୍ପାନୀ ଏବଂ ବ୍ରାଣ୍ଡ, ସମ୍ବାଦ ସଂଗଠନ ଏବଂ ଅନ୍ୟାନ୍ୟ ‘ଜନସାଧାରଣଙ୍କ ଆଗ୍ରହ’ ପ୍ରକୃତ ଆକାଉଣ୍ଟ ଗୁଡିକ ରହିଛି ତାହା କୁ ଚିହ୍ନଟ କରିବା। କିନ୍ତୁ ନୂତନ ନିୟମ ଅନୁଯାୟୀ, ଯେକେହି ବି ନୀଳ ଟିକ ମାର୍କ ପାଇପାରିବେ, ସେମାନଙ୍କୁ କେବଳ ଟ୍ୱିଟର ବ୍ଲୁ ସେବାକୁ ସବସ୍କ୍ରାଇବ କରିବା ଏବଂ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡିବ । ଏହିପରି, ବର୍ତ୍ତମାନ ପାରୋଡି ଆକାଉଣ୍ଟଗୁଡିକ ମଧ୍ୟ ଯାଞ୍ଚ ହୋଇଥିବା ନୀଳ ଟିକ ମାର୍କରେ ପରିଣତ ହୋଇଛି ।
