ମୁମ୍ବାଇର ଚେମ୍ବୁର ଓ ବିକ୍ରୋଲିରେ ଅଘଟଣ, ୨୫ ମୃତ
Rescuers look for survivors after a wall collapsed on several slum houses heavy monsoon rains in the Mahul area of Mumbai, India, Sunday, July 18, 2021. More than a dozen people were killed in the incident. (AP Photo/Rajanish Kakade)
- ମୃତକଙ୍କ ପରିଜନଙ୍କୁ ୫ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା
ମୁମ୍ବାଇ : ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇର ଚେମ୍ବୁର ଓ ବିକ୍ରୋଲିରେ ପାହାଡ଼ ଧସିବା ଏବଂ ଭାଣ୍ଡୁପରେ କାନ୍ଥପଡ଼ିବା ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଶୋକ ପ୍ରକାଶ କରି କହିଲେ ଯେ ସମସ୍ତ ଆହତଙ୍କୁ ସରକାରୀ ଖର୍ଚ୍ଚରେ ମୁକ୍ତସେବା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ୨ଲକ୍ଷ ଲେଖାଏର୍ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ôଥକ ସାହାଯ୍ୟର ଘୋଷଣା କରିଛନ୍ତି । ଏହି ତିନୋଟି ଘଟଣାରେ ବର୍ତମାନ ପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିରୁ ଚେମ୍ବୁରରେ ୧୭, ବିକ୍ରୋଲିରେ ୭ ଏବଂ ଭାଣ୍ଡୁପରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୋଟ ୧୮ ଲୋକଙ୍କ ଚିକିତ୍ସା ମୁମ୍ବାଇର ରାଜାବାଡ଼ି ଏବଂ ଅନ୍ୟ ହସ୍ପିଟାଲମାନଙ୍କରେ ହେଉଛି । ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ମୁମ୍ବାଇର ସଂରକ୍ଷକ ମନ୍ତ୍ରୀ ଆଦିତ୍ୟ ଠାକରେ ଘଟଣାସ୍ଥଳକୁ ଯାଇ ଗଣମାଧ୍ୟମକୁ କହିଛନ୍ତି ଯେ ତିନି ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଦିତ୍ୟ ଠାକରେ କହିଛନ୍ତି ଯେ ଏହି ଘଟଣାରେ ପୀଡ଼ିତଙ୍କ ଘର ଉଜୁଡ଼ି ଯାଇଛି । ତେଣୁ କେନ୍ଦ୍ର ସରକାରଙ୍କୁ ଆହୁରୀ ସାହାଯ୍ୟ କରିବା ଦରକାର । ମୁମ୍ବାଇର ମହାପୌର କିଶୋରୀ ପେଣ୍ଡେକର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଚେମ୍ବୁର ଏବଂ ବିକ୍ରୋଲୀରେ ପ୍ରଶାସନ ଲୋକମାନଙ୍କୁ ନୋଟିସ୍ ଜାରି କରି ସୁରକ୍ଷିତ ସ୍ଥଳକୁ ଯିବାପାଇଁ କହିଛନ୍ତି । କିନ୍ତୁ ମୁମ୍ବାଇର ଲୋକମାନଙ୍କର ଜୀବନ ଠାରୁ ଘରର ଅଧିକ ଚିନ୍ତା ରହୁଛି । ଏହି କାରଣରୁ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯାଇନଥିଲେ । ମହାପୌର କହିଛନ୍ତି ଯେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆଖପାଖର ଲୋକଙ୍କୁ ମୁମ୍ବାଇ ନଗର ନିଗମ ତରଫରୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ କରାଯାଇଛି । ଉଲ୍ଲେଖନୀୟ ଯେ ଶନିବାର ରାତିରେ ହୋଇଥିବା ମୁଷଳଧାର ବର୍ଷା ଯୋଗୁଁ ଚେମ୍ବୁର ସ୍ଥିତ ଲାଲ ଡୋଙ୍ଗର ପାଖରେ ପାହାଡ଼ ଧସି ପାଖରେ ଥିବା ବସ୍ତିରେ ପଡ଼ିଥିଲା । ଏହି ଘଟଣାରେ ଏବେ ପର୍ଯ୍ୟନ୍ତ ୧୭ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପାଖାପାଖି ୮ଜଣ ଆହତ ହୋଇଛନ୍ତି । ଏହାପାଖରେ ବିକ୍ରୋଲି ସ୍ଥିତ ସୂର୍ଯ୍ୟନଗରରେ ମଧ୍ୟ ପାହାଡ଼ର କିଛି ଅଂଶ ଧସିବା ଯୋଗୁଁ ବର୍ତମାନ ପର୍ଯ୍ୟନ୍ତ ୭ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ୮ଟି ଘର ଧ୍ୱଂସ ହୋଇଯାଇଛି ଏବଂ ୮ଜଣ ଆହତ ହୋଇଛନ୍ତି । ସେହିପରି ଭାଣ୍ଡୁପର ଅମରକୋର ସ୍କୁଲ ପାଖରେ ବନବିଭାଗର ସଂରକ୍ଷଣ ପାଚେରୀ ଭାଙ୍ଗିବା ଦ୍ୱାରା କେତେକ ଘର ଦବିଯାଇଛି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ଜଣ ଆହତ ହୋଇଛନ୍ତି । ଏହି ତିନୋଟି ଜାଗାରେ ଫାୟାର ବ୍ରିଗେଡ, ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ(ଏନ୍ଡିଆର୍ଏଫ୍)ର ଟିମ୍ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଏଠାରେ ପୋଲିସ୍ କୁକୁରମାନଙ୍କ ଟିମ୍ର ସହଯୋଗରେ ଲୋକମାନଙ୍କୁ ଖୋଜିବା କାମ ଜାରି ରହିଛି ।
ମୁମ୍ବାଇର ଚେମ୍ବୁର ଓ ଭିଖରୋଲି ଠାରେ କାନ୍ଥ ଭୁଷୁଡିବା ଯୋଗୁଁ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁମ୍ବାଇର ଚେମ୍ବୁର ଓ ଭିଖରୋଲି ଠାରେ କାନ୍ଥ ଭୁଷୁଡିବା ଯୋଗୁଁ ମୃତ୍ୟୁ ଘଟଣାରେ ଦୁଃଖିତ । ଦୁଃଖର ଏହି ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଆହତ ବ୍ୟକ୍ତିଙ୍କୁ ଦ୍ରୁତ ଆରୋଗ୍ୟ କାମନା କରୁଛି । ପିଏମଏନଆରଏଫରୁ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ।”
