ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୨୮ରୁ ଅଫଲାଇନ୍ ମୋଡରେ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା । ଦ୍ୱାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ ବଦଳିପାରେ ବୋଲି ସେ ସଂକେତ ଦେଇଛନ୍ତି । ସିଏଚଏସଇକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ମୋଟ ୧୫୮୬ କଲେଜର ପିଲା ୧୧୪୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଯିବ । ୩ଲକ୍ଷ ୨୦ହଜାର ଛାତ୍ରୀଛାତ୍ର ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ । ସେହିପରି ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ। ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।
