ତୁର୍କୀ-ସିରିଆ ଭୂକମ୍ପ, ମୃତ୍ୟୁସଂଖ୍ୟା ଟପିଲା ୨୮ ହଜାର
ନୂଆଦିଲ୍ଲୀ : ତୁର୍କୀ-ସିରିୟା ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ରବିବାର ସୁଦ୍ଧା ୨୮ ହଜାର ଟପିଛି ମୃତ୍ୟୁସଂଖ୍ୟା । ଭୂକମ୍ପର ୬ ଦିନ ପରେ ଏବେ ବି ଉଦ୍ଧାର କାର୍ଯ୍ୟଜାରୀ ରହିଛି । ଭୂକମ୍ପରେ ଭାଙ୍ଗିପଡିଥିବା ନିର୍ମାଣର ଭଗ୍ନାଂଶ ତଳୁ ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଆହୁରି ବହୁ ସଂଖ୍ୟାରେ ଲୋକମାନେ ଫସି ରହିଥିବା ଆଶଙ୍କା କରାଯାଉଛି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କାକୁ ଏଡାଇ ଦିଆଯାଇପାରିନି ।
ବିଶେଷକରି ଭୂକମ୍ପର କେନ୍ଦ୍ରସ୍ଥଳ ତଥା ତୁର୍କୀର କାରାମାନମରାସ୍ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଥିବାରୁ ସର୍ବାଧିକ ଲୋକ ଏହି ଅଂଚଳରେ ଫସି ରହିଥିବା ଆଶଙ୍କା କରାଯାଉଛି । ଭୂମିକମ୍ପର ଉତ୍ପତିସ୍ଥଳ ତୁର୍କୀର ଦକ୍ଷିଣାଂଚଳ ନଗରୀ କାରାମାନମରାସ୍ରେ ପହଂଚିବା ପରେ ଜାତିସଂଘ ରିଲିଫ୍ ମୁଖ୍ୟ ମାର୍ଟିନ୍ ଗ୍ରିଫିଥ୍ସ୍ କହିଛନ୍ତି ଯେ ଭଗ୍ନସ୍ତୂପ ଭିତରେ ଖୋଜାଖୋଜି ଚାଲିଥିବାରୁ ମୃତ୍ୟୁସଂଖ୍ୟାର ସଠିକ୍ ଆକଳନ କରିବା କଷ୍ଟସାଧ୍ୟ । ତଥାପି ମୁଁ ନିଶ୍ଚିତ ଯେ, ମୃତ୍ୟୁସଂଖ୍ୟା ଦୁଇଗୁଣରୁ ଅଧିକ ହେବ । ତୁର୍କୀ ଓ ସିରିଆରେ ସଂଘଠିତ ଶକ୍ତିଶାଳୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇପାରେ ବୋଲି ଜାତିସଂଘ ରିଲିଫ୍ ମୁଖ୍ୟ ‘ସ୍କାଏ ନିଉଜ୍’କୁ କହିଛନ୍ତି ।
ଅନ୍ୟପକ୍ଷରେ ସିରିୟାରେ ୫୦ ଲକ୍ଷରୁ ଅଧିକ ଲୋକ ବାସହରା ହୋଇପଡ଼ିଛନ୍ତି । ଶୁକ୍ରବାର ରାତିରେ ପ୍ରାୟ ୧୩୦ ଘଂଟା ପରେ ତୁର୍କୀର ଏକ ପରିବାରର ୫ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ନିଖୋଜ ଥିବା ଜଣେ ଭାରତୀୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଏ ସମ୍ପର୍କରେ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ଭାରତୀୟ ଜଣକ ଏକ ୨୪ ମହଲା ହୋଟେଲ ଭଗ୍ନାଂଶ ତଳେ ଚାପି ହୋଇ ରହିଥିଲେ ବୋଲି କୁହାଯାଇଛି । ତୁର୍କୀରେ ପ୍ରାୟ ୩ ହଜାରରୁ ଅଧିକ ଭାରତୀୟ ରହୁଥିଲେ ହେଁ ଅନ୍ୟ କୌଣସି ଭାରତୀୟଙ୍କ ମୃତାହତ ସମ୍ପର୍କରେ କିଛି କୁହାଯାଇ ନାହିଁ । ଇତିମଧ୍ୟରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ଉଦ୍ଧାରକାରୀ ଟିମ୍ରେ ପ୍ରାୟ ୧୦ ହଜାରରୁ ଅଧିକ ଯବାନ ସାମିଲ ରହି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । କିନ୍ତୁ ତୁର୍କୀରେ ହାଡ଼ଭଙ୍ଗା ଥଣ୍ଡା ଉଦ୍ଧାରକାରୀ କର୍ମୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହିସବୁ କର୍ମୀଙ୍କୁ ବିଯୁକ୍ତାତ୍ମକ ତାପମାତ୍ରାରେ କାର୍ଯ୍ୟ କରିବାକୁ ପଡ଼ୁଛି ।
