ଫଳ ଦୋକାନକୁ ଟ୍ରକ ମାଡିଯିବା ଘଟଣା : ଚାଳକ ଗିରଫ
କଟକ : ଫଳ ଦୋକାନକୁ ଟ୍ରକ ମାଡିଯାଇ ଦୋକାନୀର ମୃତ୍ୟୁ ହେବା ଓ ୧୦ରୁ ଅଧିକ ଗୁରୁତର ଆହତ ଘଟଣାର ୨ ଦିନ ପରେ ଜଗତପୁର ଥାନା ପୋଲିସ ଆଜି ଟ୍ରକ୍ ଚାଳକକୁ ଗିରଫ କରିଛି । ଗିରଫ ଚାଳକ କଟକ ଶିଖରପୁରର ପ୍ରତାପ ଚନ୍ଦ୍ର ବିଶ୍ୱାଳ(୫୩) । ସୁଚନାଯୋଗ୍ୟ ଯେ, ଗତ ୧୦ ତାରିଖ ସନ୍ଧ୍ୟାରେ ସାଲେପୁର ଆଡୁ କଟକ ଆସୁଥିବା ଟ୍ରକ(ଓଆର-୧୯-ସି-୭୦୭୧) ଖଇରା ପୋଲ ନିକଟରେ ରାସ୍ତାର ଅପର ପାଶ୍ୱର୍ରେ ଫଳ ଦୋକାନ କରିଥିବା ସୁବାସ ସାହୁଙ୍କ ଦୋକାନକୁ ମାଡିଯାଇଥିଲା । ୨ଟି କାର ଓ ୫ଟି ବାଇକକୁ ଧକ୍କା ଦେଇ ମାଡିଯିବା ଫଳରେ ଦୋକାନର ସିମେଣ୍ଟ ଖୁଣ୍ଟ ଭାଙ୍ଗି ପଡି ସୁବାସଙ୍କ ମୁଣ୍ଡରେ ବାଜିଥିଲା । ଆହତ ସୁବାସ ଓ ଆହତ ୧୦ରୁ ଅଧିକ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବଡ ମେଡିକାଲକୁ ପଠାଯାଇଥିଲା । ମାତ୍ର ଡାକ୍ତର ସୁବାସଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମଦ୍ୟପ ଚାଳକଙ୍କୁ ଲୋକେ ଧରି ମାଡ ମାରିଥିବା ବେଳେ ସେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ସୁବାସଙ୍କ ସଂପର୍କୀୟ ରବିନାରାୟଣ ସାହୁଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ଆଜି ଉକ୍ତ ଚାଳକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
