ବାଇକକୁ ଧକ୍କା ଦେଲା ଟ୍ରକ : ଜଣେ ମୃତ
- କ୍ଷତିପୂରଣ ଦାବିରେ ଜାତୀୟ ରାଜପଥକୁ ସ୍ଥାନୀୟ ବାସିନ୍ଦା ଅବରୋଧ
ଗଞ୍ଜାମ : ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ସାମନ୍ତରାୟପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବାଇକକୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣା ସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ସାମନ୍ତରାୟପୁର ଗାଁର ମୋହନ ଗୌଡ଼ ।
ସୂଚନା ଯେ, ଶୁକ୍ରବାର ସକାଳେ ୨ ଜଣ ଯୁବକ ଏକ ବାଇକରେ ଘାସ କାଟିବାକୁ ଯାଉଥିଲେ । ଏହି ସମୟରେ ଦିଗପହଣ୍ଡିରୁ ସେରଗଡ଼ ଆସୁଥିବା ଏକ ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା । ଏଥିରେ ଚାଳକ ଗୁରୁତର ହୋଇଥିବା ବେଳେ ପଛରେ ବସିଥିବା ଆରୋହୀ ମୋହନ ପ୍ରାଣ ହରାଇଛନ୍ତି । ଏପରିକି ଟ୍ରକ୍ ତାଙ୍କୁ ଚାପି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥକୁ ସ୍ଥାନୀୟ ବାସିନ୍ଦା ଅବରୋଧ କରି ରଖିଛନ୍ତି । ପାଟପୁର ଆଇଆଇସି ଓ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।
