ଆଜି ଆସିବ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନ ଫଳାଫଳ
ନୂଆଦିଲ୍ଲୀ : ଆଜି ଆସିବ ତିନି ଉତ୍ତରପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ୍ ବାଲଟ୍ରୁ ଗଣତି ଆରମ୍ଭ ହେବ ଏବଂ ଏହାପରେ ଇଭିଏମ୍ର ଗଣତି ପ୍ରକ୍ରିୟା ଚାଲିବ। ଅପରାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ। ଫେବ୍ରୁଆରି ୧୬ ତାରିଖରେ ତ୍ରିପୁରାରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡରେ ଫେବ୍ରୁଆରି ୨୭ରେ ଭୋଟ୍ ଗ୍ରହଣ ହୋଇଥିଲା। ୩ ରାଜ୍ୟରେ ୬୦ ଲେଖାଏଁ ଆସନ ଥିବାବେଳେ କେବଳ ତ୍ରିପୁରାକୁ ବାଦ୍ ଦେଲେ ଅନ୍ୟ ଦୁଇ ରାଜ୍ୟରେ ୫୯ ଆସନ ପାଇଁ ମତଦାନ ହୋଇଛି । କିନ୍ତୁ ୩ ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ରହିଛି ୩୧ ଆସନ ।
ତ୍ରିପୁରାରେ ମୋଟ ୬୦ ଆସନ ପାଇଁ ହୋଇଛି ମତଦାନ । ଗତ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି-ଆଇପିଏଫଟି ଗଠବନ୍ଧନ ପ୍ରତିଦ୍ୱନ୍ଦ୍ୱୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) କୁ ପରାସ୍ତ କରି କ୍ଷମତାକୁ ଆସିଥିଲା । ବିଜେପି ୩୫ ଆସନ ପାଇଥିବା ବେଳେ ଆଇପିଏଫଟି କୁ ମିଳିଥିଲା ୮ ଆସନ । ଯାହାକି ସରକାର ଗଠନ ପାଇଁ ବହୁମତ ସାବ୍ୟସ୍ତ କରିବାକୁ ଉଭୟ ଦଳକୁ ଅତି ସହଜ ହୋଇଥିଲା । ଅପରପକ୍ଷରେ ବାମପନ୍ଥୀ ଏବଂ କଂଗ୍ରେସ ୨୦୧୮ ନିର୍ବାଚନ ପରି ମଧ୍ୟ ଚଳିତ ନିର୍ବାଚନରେ ଏକାଠି ଲଢିଛନ୍ତି । କିନ୍ତୁ ଦୁଇ ଦଳ ପାଇଁ ଆହ୍ୱାନ ପାଲଟିଛି ଟିଏମସି । ଟିଏମସି ରାଜ୍ୟରେ ଦୃଢ ହେବାକୁ ଯଥେଷ୍ଟ ପ୍ରୟାସ ମଧ୍ୟ କରିଛି । ତ୍ରିପୁରାରେ ଆଦିବାସୀ ଭୋଟ୍ ର ମହତ୍ତ୍ୱ ଯଥେଷ୍ଟ ରହିଛି । ଟିପ୍ରା ମୋଥା ‘ଗ୍ରେଟର ଟିପ୍ରାଲାଣ୍ଡ’ର ଉଦୟ ପରେ ବିଜେପି, କଂଗ୍ରେସ ଏବଂ ବାମପନ୍ଥୀ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।
ମେଘାଳୟରେ ଗତ ୨୦୧୮ ନିର୍ବାଚନରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ୧୯ ଟି ଆସନ, କଂଗ୍ରେସ ୨୧ଟି ଆସନ ଏବଂ ଭାରତୀୟ ଜନତା ପାର୍ଟି ଦୁଇଟି ଆସନ ଜିତିଥିଲା । ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (ୟୁଡିପି) ୬ଟି ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିଲା । ତେବେ ଏନପିପି ନେତୃତ୍ୱାଧୀନ ମେଘାଳୟ ଡେମୋକ୍ରାଟିକ୍ ଆଲାଇନ୍ସ (ଏମଡିଏ) ବିଜେପି, ୟୁଡିପି ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳର ସହଯୋଗରେ କ୍ଷମତାକୁ ଆସିଥିଲା । ଏଥର ବିଜେପି ଏବଂ ଏନପିପି ଅଲଗା ଅଲଗା ନିର୍ବାଚନ ଲଢୁଥିବା ବେଳେ ଟିଏମସି ରାଜ୍ୟରେ ଦୃଢ ପ୍ରତିଦ୍ୱନ୍ଦି ଭାବେ ଉଭା ହୋଇଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କନରାଡ ସାଙ୍ଗମା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଗାରୋ ହିଲ୍ସ ଅଞ୍ଚଳରୁ କଡ଼ା ମୁକାବିଲା କରୁଛନ୍ତି ।
ନାଗାଲାଣ୍ଡରେ ଶାସକ ମିଳିତ ମଞ୍ଚର ମୁଖ୍ୟମନ୍ତ୍ରୀ ନିଫି ରିଓ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଇନ୍ସ ରାଜ୍ୟରେ ଶକ୍ତିଶାଳୀ ହେବାକୁ ଯାଉଛନ୍ତି । ତାଙ୍କ ବିରୋଧରେ କୌଣସି ଦୃଢ ପ୍ରତିଦ୍ୱନ୍ଦି ନାହାଁନ୍ତି । ଗତ ୨୦୧୮ରେ, ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ୨୭ ଆସନ ଜିତି ଏକକ ବୃହତ ଦଳ ଭାବରେ ଉଭା ହୋଇଥିଲା । କିନ୍ତୁ ବିଜେପି, ଏନଡିପିପି, ଜନତା ଦଳ (ୟୁନାଇଟେଡ୍) ସହିତ ମେଣ୍ଟ କରି ସରକାର ଗଠନ କଲା । ୨୦୨୧ ମସିହାରେ ଏନପିଏଫ ମଧ୍ୟ ଶାସକ ମିଳିତ ମଞ୍ଚରେ ଯୋଗ ଦେଇଥିବାବେଳେ ଗତ ବର୍ଷ ଏହାର ୨୧ ଜଣ ବିଧାୟକ ଏନଡିପିପିରେ ଯୋଗଦେବା ପରେ ଏହା ବର୍ତ୍ତମାନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ଏଥର ବିଜେପି ୬୦ଟି ସିଟ୍ ମଧ୍ୟରୁ ୨୦ଟିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୪୦ଟିରେ ଏନଡିପିପି ପ୍ରାର୍ଥୀଙ୍କୁ ସମର୍ଥନ କରୁଛି ।
