ରାଜ୍ୟ ଗ୍ରନ୍ଥାଗାର ପକ୍ଷରୁ ଜୟନ୍ତୀ ଅବସରରେ ଡକ୍ଟର ମହତାବଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଓଡ଼ିଶାର ଚଳନ୍ତି ପାଠାଗାର କୁହାଯାଉଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବମ୍ବେ ପ୍ରଦେଶର ରାଜ୍ୟପାଳ, ଓଡ଼ିଶାରେ ଗଡ଼ଜାତ ମିଶ୍ରଣର କର୍ଣ୍ଣଧାର ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୩ତମ ଜୟନ୍ତୀ ତାଙ୍କ ନାମରେ ନାମିତ ଭୁବନେଶ୍ୱରର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଗିରିଜା ଶଙ୍କର ମହାପାତ୍ର, ଜୟନ୍ତ ପରିଡ଼ା, ଉଇ ଫର ଭୁବନେଶ୍ୱର ସଭ୍ୟବୃନ୍ଦ, ଗ୍ରନ୍ଥାଗାରିକ ସସ୍ମିତା ମିଶ୍ର, ସଂଘମିତ୍ରା ସାହୁ, ପଦ୍ମନାଭ ଜେନା, କୁକୁମିନା ଦାସ, ରୁଦ୍ରପ୍ରସାଦ ବେହେରା, ବିଦ୍ୟାଧର ପଣ୍ଡା, ସଳିତା ପାତ୍ର, କଣ୍ଠମଣି ବିଶ୍ୱାଳ, ସୁବର୍ଣ୍ଣ ପଣ୍ଡାଙ୍କ ସମେତ ଗ୍ରନ୍ଥାଗାର କର୍ମଚାରୀମାନେ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବିଧାୟକ ସାମଲ ଡକ୍ଟର ମହତାବଙ୍କ ପାଇଁ ଆଜି ରାଜ୍ୟର ସାହିତ୍ୟ, ସଂସ୍କୃତିର ବିକାଶ ସାଧନ ହୋଇପାରିଛି । ରାଜ୍ୟର ରାଜନୀତି କ୍ଷେତ୍ରରେ ସେ ଥିଲେ ମାର୍ଗଦର୍ଶକ ତାଙ୍କ ନୀତି ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେବା ଆବଶ୍ୟକ । ଶ୍ରୀ କାନୁନ୍ଗୋ ତାଙ୍କ ବକ୍ତବ୍ୟରେ ଖଣ୍ଡବିଖଣ୍ଡିତ ବିଭିନ୍ନ ଗଡ଼ଜାତକୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍?ଙ୍କ ସହ ମିଶି ଓଡ଼ିଶାରେ ମିଶାଇଥିବାରୁ ଓ ପ୍ରଥମ ଗଡ଼ଜାତ ଭାବରେ ନୀଳଗିରି ଓଡ଼ିଶାରେ ମିଶ୍ରଣ ହୋଇ ପରବର୍ତୀ ଅବସ୍ଥାରେ ଅଖଣ୍ଡ ଓଡ଼ିଶା ପ୍ରଦେଶ ଗଠନ କେବଳ ମହତାବଙ୍କ ଦୂରଦର୍ଶିତାରୁ ସମ୍ଭବ ହୋଇପାରିଥିଲା । ତେଣୁ ତାଙ୍କୁ ମରଣୋତର ଭାବରେ ଭାରତରତ୍ନରେ ଭୂଷିତ କରିବା ଆବଶ୍ୟକ । ଅନ୍ୟବକ୍ତାମାନେ ଡକ୍ଟର ମହତାବ ଓଡ଼ିଶାର ଇତିହାସ ରଚନା କରିବା ସହିତ ବହୁ ଉପନ୍ୟାସ, ପ୍ରବନ୍ଧ ରଚନା କରି ଓଡ଼ିଶାର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ଦୈନିକ ଖବରକାଗଜ ପ୍ରଜାତନ୍ତ୍ର, ସାହିତ୍ୟ ପତ୍ରିକା ଝଙ୍କାର, ଶିଶୁ ପତ୍ରିକା ମୀନା ବଜାର ପ୍ରକାଶନ କରି ଓ ବିଷୁବ ମିଳନ ମାଧ୍ୟମରେ ରାଜ୍ୟର ସାହିତ୍ୟିକ ପ୍ରକାଶକ, ଲେଖକ ଓ ବୁଦ୍ଧିଜୀବୀମାନଙ୍କୁ ଏକତ୍ର କରି ରାଜ୍ୟର ସାରସ୍ୱତ ଜଗତରେ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିଥିଲେ । ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା କରି ସେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ, ଯାହାଫଳରେ କ୍ଷୁଦ୍ର ସହର ଭୁବନେଶ୍ୱର ଆଜି କାୟା ମେଲାଇ କଟକ, ପିପିଲି, ଖୋର୍ଦ୍ଧା, ଜଟଣି, ବାଲିଅନ୍ତା, ବାଲିପାଟଣା, ବାରଙ୍ଗକୁ ଲାଗି ଏକ ବୃହତ୍ ସହରର ରୂପ ନେଲାଣି ସେଥିପାଇଁ ସେ ଚିରସ୍ମରଣୀୟ ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଉଇ ଫର ଭୁବନେଶ୍ୱର ତରଫରୁ ପଂଚାନନ କାନୁନ୍ଗୋ, ପ୍ରଫୁଲ୍ଲ ସାମଲ, ଲକ୍ଷ୍ମୀଧର ବେହେରା, ଜଗନ୍ନାଥ ବିଶୋଇ ଓ ଲକ୍ଷ୍ମୀକାନ୍ତ ବାରିକଙ୍କୁ ଡକ୍ଟର ମହତାବ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉପେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ପାଠାଗାରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
