ନୀଳଗିରିରେ ଆଦିବାସୀ ଶିକ୍ଷଣ ସାଧନ କେନ୍ଦ୍ର ଉଦ୍ଘାଟିତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ସଦର ମହକୁମା ଠାରେ ଆଦିବାସୀ ଶିକ୍ଷଣ ସାଧନ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ନୀଳଗିରି ଉପ-ଜିଲାପାଳ ମନ୍ଦରଧର ମହାଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବାଲେଶ୍ୱର ଜିଲା ଶିକ୍ଷାଧିକାରୀ ବିଷ୍ଣୁମୋହନ ସୂତାର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର, ଅନ୍ୟତମ ଜିଲା ଅତିରିକ୍ତ ଶିକ୍ଷାଧିକାରିଣୀ ପ୍ରାଚୀ ତନୟା ଗିରି, ନୀଳଗିରି କେସି ହାଇସ୍କୁଲର ପ୍ରଧାନଶିକ୍ଷକ ଭୀମସେନ ବିଶ୍ୱାଳ, ଆଦିବାସୀ ଶିକ୍ଷଣ କେନ୍ଦ୍ରର ଯୁଗ୍ମ ସଂଯୋଜକ ଦ୍ୱୟ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ ଅତିଥିମାନଙ୍କୁ ଆଦିବାସୀ ପାରମ୍ପାରିକ ନୃତ୍ୟ ଓ ମାଦଳର ତାଳେତାଳେ ସ୍ୱାଗତ କରି ଉତ୍ସବସ୍ଥଳକୁ ପାଛୋଟି ନେଇଥିଲେ ।
ଉଦ୍ଘାଟନ ଉତ୍ସବ ଅବସରରେ ଏକ ସାଧାରଣ ସଭା ଆୟୋଜନରେ ମୁଖ୍ୟ ପୁରୋଧା ନୀଳଗିରି ଗୋଷ୍ଠୀ ଶିକ୍ଷାଧିକାରିଣୀ ସ୍ନିଗ୍ଧା ପଣ୍ଡା ପୌରହିତ୍ୟ କରିଥିବା ବେଳେ ଆଦିବାସୀ ଶିକ୍ଷଣ ସାଧନ କେନ୍ଦ୍ରର ମୁଖ୍ୟ ସଂଯୋଜକ ତଥା ନୀଳଗିରି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଯୋଗେନ୍ଦ୍ର ସେଠୀ ଆଦିବାସୀ ଶିକ୍ଷଣ ସାଧନ କେନ୍ଦ୍ର ପ୍ରତିଷ୍ଠା କରିବା ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାତ୍ର ଆଧୁନିକତାରେ ବଶବର୍ତ୍ତୀ ଆଦିବାସୀ ସମ୍ପ୍ରଦାୟ ଜାତିର ଗୌରବ, ଐତିହ୍ୟ, ସଂସ୍କୃତି, ପରମ୍ପରାର ଅବକ୍ଷୟ ହୋଇ ଯାଉଥିବାରୁ ଏହାର ସୁରକ୍ଷା, ପୁନଃରୁଦ୍ଧାର ସହିତ ଏହି ସମ୍ପ୍ରଦାୟର ନିଜସ୍ୱ ଜୀବନ ଜୀବିକାଶୈଳି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସରକାରଙ୍କର ଏହି ଅଭିନବ ପ୍ରୟାସ ବୋଲି ମଂଚାସୀନ ଅତିଥିବୃନ୍ଦ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଶିକ୍ଷଣ କେନ୍ଦ୍ର ଉଦ୍ଘାଟନ ସମୟରେ ବାଲିଗୋହିରୀ ସ୍ଥିତ ରତ୍ନାକର ଟାଉନ ହାଇସ୍କୁଲ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । କାର୍ତ୍ତିକ କୁମାର ମହାପାତ୍ର ବେଦମନ୍ତ୍ର ପାଠ କରିଥିବା ବେଳେ ରତ୍ନାକର ଟାଉନ ହାଇସ୍କୁଲ ସହକାରୀ ଶିକ୍ଷକ ରଣଜିତ ବେହେରା ମଂଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଆଦିବାସୀ ଶିକ୍ଷଣ କେନ୍ଦ୍ରର ଫଳକ ଉନ୍ମୋଚନ କରାଯାଇଥିଲା । ନିଜଗଡ଼ ସ୍ଥିତ ଆଦିବାସୀ ଶିକ୍ଷଣ ସାଧନ କେନ୍ଦ୍ରକୁ ଉପସ୍ଥିତ ଅତିଥିମାନେ ବୁଲି ଦେଖିବା ସହିତ ଆଦିବାସୀମାନଙ୍କର ଲୁପ୍ତ ପ୍ରାୟ ହୋଇ ଯାଉଥିବା ବିଭିନ୍ନ ସାମଗ୍ରୀ ଏକ ଜାଗାରେ ଦେଖିବାର ସୁଯୋଗ ଥିବାରୁ ଏଭଳି ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଉତ୍ସବରେ ଆଖପାଖ ଅଞ୍ଚଳରେ ବହୁ ଜନଜାତିର ଲୋକେ ସାମିଲ ହୋଇଥିଲେ ।
